STORYMIRROR

Elina Priyadarshini Bhol

Children

4  

Elina Priyadarshini Bhol

Children

ବାଳୁତ ବୀର

ବାଳୁତ ବୀର

1 min
552



ଖେଳିବା ବୁଲିବା ବୟସରେ ତାର

ବସିଛି ନାଆ ଉପରେ,

ଅକାତ ନଈରେ ବାହି ନିଏ ନାଆ

ଅଗଣ୍ଡ ନୀଳ ଜଳରେ।।


ଦଲକା ଦଲକା ଶୀତଳ ପବନ

ଶୀତଳ କରେ ଶରୀର,

ଅଗଣ୍ଡ ପାଣିରେ କାତ ଧରି ଧୀରେ

ନଉକା ଭସାଏ ତାର।।


କିଏ ସେ ଭରିଲା ଏମିତି ସାହସ

ଛୋଟ ହୃଦୟରେ ତାର,

ମାଆ କୋଳ ଛାଡି ନଉକା ସଜାଡେ

ନଈ କୂଳେ କରି ଘର।।


ରାତିର ଅନ୍ଧାର ଫିକାପଡୁ ନାହିଁ

ଗଗନେ ଦିଶୁନି ଶଶୀ,

ଦୂର ଦିଗବଳୟ ତାରକାକୁ ଚାହିଁ

ନାଆପୋରେ ଅଛି ବସି।।


କୁନି ଆଖି ଧାରେ ନିଦ ହସେ ଧୀରେ

ସପନ ବି ଖେଳେ ଦୋଳି,

ସତେକି ପବନ ଚୁମ୍ବନେ ଦୋହଲେ

କଅଁଳ ପଦୁଅଁ କଳି।।


ନିଶା ଗର୍ଜନଠୁ ଭୟଙ୍କର ସ୍ବରେ

ଶୁଭିଲା କାହାର ରଡି,

ହଇରେ!ନାଉରି ନାଆ ତୋ ସଜାଡେ

କହି ଆସୁଥିଲେ ମାଡ଼ି।।


ନିଦ ମଳମଳ ଆଖି ମଳିମଳି

ଚାହିଁଲା ବାଳୁତ ବୀର,

ନେବ ନାହିଁ ନାଆ ସାହସେ କହିଲା

କାହାକୁ ବା ତାର ଡ଼ର।।


ଏଡିକି ଟିକିଏ ବାଳୁତ ତୁହିରେ

କେତେ ଯେ ବହପ ତୋର,

ଭଲରେ ଭଲରେ ରାତି ନପାହୁଣୁ

ନଈ କରିଦେ ତୁ ପାର।।


କାହୁଁ ସେ ପାଇଲା ଏମିତି ସାହସ

ପୁଷ୍ପିତ ମନରେ ତାର

ଟିକିଏ ନ ଡ଼ରି ଦମ୍ଭରେ କହିଲା

ଯିବ ନାହିଁ ନାଆ ମୋର।।


ଗଗନ ପବନ ସ୍ତବ୍ଧ ପାଲଟିଲା

ନୀରବ ନଈର ପାଣି,

ଆଖି ପିଛୁଳାକେ ବନ୍ଧୁକ ମୁନରୁ

ବରଷିଲା ଗୁଳି ପୁଣି।।


ଭାରତ ମାତାର ଯୋଗ୍ୟ ସନ୍ତାନ

ଜୟ ହିନ୍ଦ୍ ଥରେ କହି,

ନଉକା ଉପରୁ ଟଳି ପଡିଲା

ଭୂମିପୋରେ ଗଲା ଶୋଇ।।


ଇତିହାସ ବକ୍ଷେ ସାହସ ଗାରିମା

ସ୍ବର୍ଣ୍ଣ ଅକ୍ଷରରେ ତାର,

ଲିପିବଦ୍ଧ କଲା ଯୁଗ ଯୁଗକୁ ତ

ଧନ୍ୟ ସେ ବାଳୁତ ବୀର।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children