ମୃତ୍ୟୁ ମରେନାହିଁ
ମୃତ୍ୟୁ ମରେନାହିଁ
ତତଲା ପେଜରେ ଛଟପଟ ହୋଇ ଜଳିପାରେ ଦେହ
ହେଲେ ଗରମ ପାଣିରେ କେବେ ଘର ପୋଡ଼େ ନାହିଁ ।
ସରେ ଆୟୁଷ, ନାଟକରେ ପ୍ରତିଥର ମରେ ରାକ୍ଷସ
ଜୀବନ ବାରବାର ମରେ ମୃତ୍ୟୁ କେବେ ମରେ ନାହିଁ ।
ଶୁଖିଲା କାଗଜ ଡ଼ଙ୍ଗା ଓଦା ହେଲେ ବୁଡ଼ିଯାଏ ଜଳେ
ଦେହ ଶବ ହେଲାପରେ ନଦୀରେ ଜମା ବୁଡ଼େନାହିଁ ।
ହସଟିକେ ପାଇଁ ଲୁହ ସହ ଆଜୀବନ ଚୁକ୍ତି କରିଚାଲେ
ମଣିଷଟେ ଜୀବନକୁ ମାରେ ମୃତ୍ୟୁ ଜମା ମରେ ନାହିଁ ।
କବି ଶବ୍ଦ ସହ ଭାବ ଲେଖେ, ଲୁହ, ହସ ସବୁ ଲେଖେ
ପାଠକ ପଢେ ଜୀବନ, ଜୀବନଟା ମୃତ୍ୟୁକୁ ବୁଝେ ନାହିଁ ।
ଗୁଡ଼ି ଉଡ଼େ ଆକାଶେ ପବନେ ନଟେଇର ଅହଂ କେତେ
ଈଶ୍ବର ହାତେ ସଂସାର ଗୁଡ଼ି, ପବନ କେବେ ହାରେନାହିଁ ।
ଭୁତାଣୁର ଭୟ ଦେଖି ଥରଥର ବିଶ୍ୱର ମାନବ ବଜାର
ବଜାର ନିଶ୍ୱାସ ପାଇଁ ଯେ, ନିଶ୍ୱାସରେ ବିଶ୍ୱାସ ଯେ ନାହିଁ ।
ଧର୍ମ, ବିଜ୍ଞାନ, ରାଜନୀତି ସବୁ ମଣିଷର ସର୍ଜନା ମାତ୍ର
ମିଛୁଟାରେ ମଣିଷ ତୁମେ ଈଶ୍ବରଙ୍କୁ ଦୋଷ ଦିଅ ନାହିଁ ।
ହାଣିଦେଇ ଖଣ୍ଡ ଖଣ୍ଡ କରିପାର ଦେହର ଅଙ୍ଗଗୁଡ଼ିକ
ମନ ମରେ ବେଳେବେଳେ, ବିଚାର କେବେ ମରେନାହିଁ ।
ମଣିଷଟେ ପରିସ୍ଥିତି ଦାସ, ଭାଗ୍ୟ କଥା ମନରେ ପ୍ରବେଶ
ଜିଇଁବାକୁ ବାଧ୍ଯ ପରା ତୁହି ଜାଣିଥା ତୁ ମୃତ୍ୟୁ ମରେନାହିଁ।
