ମୋ' ନୀରବତାର ଶବଦ
ମୋ' ନୀରବତାର ଶବଦ
କେବେ ବିବାଦ କେବେ ପ୍ରବାଦ
କେବେ ସମ୍ବାଦ କେବେ ଅପବାଦ
ସବୁ ସହିଚାଲିଛି ଏ ଜୀବନ,
କେବେ ସମୟ ରୂପି ରାବଣ ସମ୍ମୁଖରେ
ଦୃଢ଼ ଭାବରେ ପାଦ ପକାଇଥିବା ଅଙ୍ଗଦ
କେବେ ସମ୍ମାନ କେବେ ଅଦୃଶ୍ୟ ଅପମାନ
ସବୁ ସହିଚାଲିଛି ଏ ଜୀବନ,
ନୀରବତାକୁ ନିଶବ୍ଦପଣକୁ ବାଛିବାର
ଏ ବାଧ୍ୟତାମୂଳକ କାର୍ଯ୍ୟ ଭାରି ବେଦନା ଦିଏ
ଲୁହକୁ ବୁଝାଉଥାଏ ବାରବାର ମନ ମୋର
ଆଖି ଦୁଇ କିନ୍ତୁ ନିତିନିତି ଭିଜୁଥାଏ,
କିଏ ବା ଶୁଣିପାରିବ ମୋ' ନୀରବତାର ଶବ୍ଦ
କିଏ ବା ବୁଝିପାରିବ ଏ ଅନ୍ତଃରାତ୍ମାରେ
ଥିବା କୋହର ସୁଡ଼ଙ୍ଗର କଥା ଓ ବ୍ୟଥା,
କିଏ ଖୋଲି ପାରିବ ଏ ହୃଦୟର ଭେଦ,
ଯେତେଥର ଶକ୍ତ ହୁଏ ସେତେଥର ହୁଏ ନିଷ୍ଠୁର
ମୁଁ ନିଷ୍ଠୁର ହେବା ମୋତେ ମାରିଦିଏ
ପୁନଃର୍ବାର ମୁଁ ଉଦାର ହୁଏ କୋମଳ ହୁଏ
ଆଉ ଦୁର୍ଭାଗ୍ୟ ମୋର ଏ ଜୀବନରେ
ଯେତେଥର ମୁଁ ଉଦାର ହୁଏ
କାହିଁକି କେଜାଣି ଲାଗେ ମୁଁ ଦୁର୍ବଳ ହୁଏ,
ମୋ' ଅସହାୟତାର ପବିତ୍ରତା କିଏ ବୁଝିବ
କିଏ ଶୁଣିପାରିବ ଅନ୍ତର ବେଦନାର ସ୍ୱର
ଏ ନୀରବତା ସତେ ମୃତ୍ୟୁ ଲାଗେ ମୋତେ
ମୁଁ ହସିଲେ ବି ଲୁହ ବହେ କେତେ
ମୁଁ ରାଗିଲେ ବି କୋହ ଆସେ କେତେ
ନିଜକୁ ଭାଙ୍ଗିବାର ସାହସରେ ମୁଁ କାହିଁକି
ବାରବାର ଯୋଡ଼ିହୁଏ ଆଉଥରେ ଗଢିହୁଏ।
©® ଦେବବ୍ରତ ମିଶ୍ର
ତା ୦୭.୦୬.୨୦୨୫
