କେଳି କୁଞ୍ଜ କୋଳେ କଳା କହ୍ନେଇ
କେଳି କୁଞ୍ଜ କୋଳେ କଳା କହ୍ନେଇ
କେଳି କୁଞ୍ଜେ ଦେଖ ବଂଶୀ ବାଜିଲାଣି
ରାଇ ଡହଳ ବିକଳ
ଗୋପୀମାନେ ସବୁ ମନ ଉଲ୍ଲାସରେ
କୁଞ୍ଜ ବନେ ଦେଖ ମେଳ ।
ନିତ୍ୟ ରାସ ଚାଲେ କୁଞ୍ଜ ବନେ ପରା
ସେ ତତ୍ତ୍ଵ ଅଟେ ନିଆରା
ଗୋପୀ ଗହଣରେ ତତ୍ତ୍ଵମୟୀ ରାଧା
ଦିଅନ୍ତି ପ୍ରେମ ବାରତା ।
କେଳି କୁଞ୍ଜେ ଦେଖ ଜଣେ ହିଁ କହ୍ନେଇ
ପ୍ରତି ଗୋପୀ ସଙ୍ଗେ ଉଭା
କୁଞ୍ଜବନ ଶୋଭା ଅତି ମନେଲୋଭା
ପୁଣ୍ୟ ମୟ ତାର ଆଭା ।
ଶରୀର ତତ୍ତ୍ଵର ଗନ୍ଧ ନାହିଁ ଏଠି
ଆପ୍ରାକୃତ ପ୍ରେମ ମୂର୍ତ୍ତି
ଦୈହିକ ବାସନା ଉର୍ଦ୍ଧ୍ଵରେ ଏ ରାସ
କୁହେ ପ୍ରାରବ୍ଧ ର ମୁକ୍ତି ।
ରାଧା କୃଷ୍ଣ ଗୋପୀ ରାସ ଅଭିନବ
ଦେହାତୀତେ ଉପଲବ୍ଧି
କାମନା ବାସନା ଉର୍ଦ୍ଧ୍ଵରେ ଏ ରାସ
ଦର୍ଶନେ ମିଳଇ ମୁକ୍ତି ।
କୃଷ୍ଣ ମଧ୍ୟେ ରାଧା ଗୋପୀ ଭାବେ ବନ୍ଧା
କହ୍ନେଇର ରାସ ଲୀଳା
କେଳି କୁଞ୍ଜେ ଆହା କି ଅପୂର୍ବ ଦୃଶ୍ୟ
ମନରୁ ମିଟେ ମଇଳା ।
କେଳି କୁଞ୍ଜେ ଶୁଭେ ମୋହନ ମୁରଲୀ
ପ୍ରେମ ତତ୍ତ୍ଵ କଥା କୁହେ
ଦେହୁ ଦେହାତୀତ ପରମ ପବିତ୍ର
ସମର୍ପଣ କୁ ବୁଝାଏ ।
କେଳି କୁଞ୍ଜେ ଶୋଭା ଶ୍ରୀରାଧା ମୋହନ
ବିଶାଖା ଲଳିତା ଗୋପୀ
ଆତ୍ମା ପରମାତ୍ମା ମିଳନ ତତ୍ତ୍ଵକୁ
କାନେ ଯାଇଥାଏ କହି ।
ଚାଲ ସଖୀ ଯିବା କୁଞ୍ଜବନେ ଆମେ
ରାସ ଦର୍ଶନ କରିବା
ଚର୍ମ ଚକ୍ଷୁକୁ ଯେ ପବିତ୍ର କରିବା
ପ୍ରେମ ମୟ ହୋଇ ଯିବା ।