STORYMIRROR

Jagannath Barik

Abstract Classics

3  

Jagannath Barik

Abstract Classics

ବ୍ରଜବନ ମନୁଆ ହାତୀ

ବ୍ରଜବନ ମନୁଆ ହାତୀ

1 min
270

ବ୍ରଜବନ ମନୁଆ ହାତୀ 

     ବାନ୍ଧିବାକୁ ନାହିଁ କା'ର ଶକତି |(0)

ଚୁଚୁକାରି ଯଶୋଦା ରାଣୀ 

    ପୋଷିଥିଲେ ସଦନେ ଆଣି 

ବାନ୍ଧୁ ଯାମଳାରେ ଉପାଡ଼ି ରାଗରେ 

    ପରବେଶ ହେଲା ଝାଡେ ଝଟତି |(1)

କିଛିଦିନ ପାଳିଲେ ରାଧା 

     ଢାଳିଦେଇ ସବୁ ଶରଧା 

ନିରୋଳାରେ ନେଇ ବିପିନେ ବୁଲେଇ 

     ଛନ୍ନେ ବୃନ୍ଦାବନେ ବାନ୍ଧି ରଖନ୍ତି |(2)

ହାତୀ ଦିନେ ପାଗଳ ହେଲା 

     ଗୋରୁ ବତ୍ସା ଜୀବନ ନେଲା 

ବଧି ସର୍ପ ବକ ଭାଙ୍ଗିଲା ଶକଟ 

କେତେ ଦୁରୁଦଣ୍ଡେ ଦେଲା ସେ ମନ୍ଥି |(3)

ଦିନ କେତେ ପାଳିଲେ ଗୋଇ 

     ସ୍ନେହ ଦାନେ ମାନସ ମୋହି 

ଯମୁନା ଜଳରେ କେଡ଼େ ସରାଗରେ 

    ଗାଧୋଇ କଦମ୍ବ ମୂଳେ ବାନ୍ଧନ୍ତି |(4)

ହାତୀ ଯେବେ ଦିଏ ଫୁକାରି 

    ଗୋପୀ ଯା'ନ୍ତି ଘରୁ ବାହାରି 

ଛାଡ଼ି କାମଧନ୍ଦା ଥାଇ ଅଧା ଅଧା 

    ହାତୀ ପାଶେ ଧାତିକାରେ ମିଳନ୍ତି |(5)

ମଥୁରାରୁ ଅକ୍ରୁର ଆସି 

    ନେଇଯାଉ ଯତ୍ନେ ଆଶ୍ୱାସି 

ବଧି ରଜକକୁ ନାଗ କୁବଳକୁ 

    ଅଷ୍ଟମଲ୍ଲ ସହ କଂସକୁ ମନ୍ଥି |(6)

ହାତୀ ବୁଲେ ପ୍ରମତ୍ତ ହୋଇ 

    ପହଞ୍ଚିଲା ଦ୍ଵାରକା ଭୂଇଁ 

ଧରୁ ସେ ପାଣ୍ଡବେ ଲଗାଉ ଆହବେ 

    କୁରୁ ସାଗରକୁ ଦେଲା ସେ ଧ୍ଵସ୍ତି |(7)

ତହୁଁ ହସ୍ତୀ ପଳାଇ ଖରେ 

     ମିଳି ଦ୍ୱାରାବତୀ ନଗରେ 

ନାଶି ସାତ ବଂଶ ଯାଦବ ସମସ୍ତ 

   ବିଶ୍ରମେ ଶିଆଳି ଘନ ବ୍ରତତି |(8)

ଟାଣୁଆ ସେ ବାଣୁଆ ଜଣେ 

    ଶର ଘାତ କଲା ତକ୍ଷଣେ 

ହୋଇ ସେ ଘାଇଲା ପଳାଇ ପଶିଲା 

    ନୀଳ କନ୍ଦରରେ ଯାଇ ଝଟତି |(9)

ସେ ହାତୀକୁ ଦେଖିବା ପାଇଁ 

    କୀଟୁ ବ୍ରହ୍ମ ହୁଅନ୍ତି ବାଇ 

ଭାଷେ ଦୀନ ଜଗା ସେ ହାତୀର ପଘା 

    ଛୁଇଁ ଜୀବନକୁ ଧନ୍ୟ ମଣନ୍ତି |(10)

----------------------

ଝାଡ଼େ -ଜଙ୍ଗଲ ରେ , ନାଗ -ହାତୀ, କୁବଳ -କୁବଳୟା ଗଜ 

ଆହବ -ଯୁଦ୍ଧ, ଧ୍ଵସ୍ତି -ଧ୍ୱସ୍ତ କରି, ବିନଷ୍ଟ କରି, ବ୍ରତତି -ଲତା 


     



Rate this content
Log in

Similar oriya poem from Abstract