ଜନ୍ମମୃତ୍ଯୁ
ଜନ୍ମମୃତ୍ଯୁ
ମୃତ୍ୟୁ ହେଲା ବୋଲି ଯେବେ ଶୁଣିବ ସଜନୀ
ଆସିବ ଗାଆଁକୁ ମୋର ଦେଖିବ ଶରୀର,
ଯେଉଁ ଶରୀରରେ ପ୍ରାଣ ନଥିବ ଟିକିଏ
ଲୁହ ଢଳାଇ କାନ୍ଦିବ ଥରାଇ ଅନ୍ତର ।
ଯେଉଁ ଶରୀରକୁ ପ୍ରେମ କରୁ ଥିଲ ସଖୀ
ଆଜି ଦେଖ ମଢ ସାଜି ପଡିଛି ଧରାରେ,
ମୋ ପ୍ରିୟ ମୋ ପ୍ରିୟ ବୋଲି ଯେତେ ଡାକିଲେବି
ନ ଶୁଣିବି କିଛି ଲୁହ ବୁହାଇଲେ ଧାରେ ।
ଗାଆଁ ର ସକଳେ ମିଶି ଜୁଇ ସଜାଡିବେ
ସେ ଜୁଇ ସ୍ପର୍ଶରୁ ତୁମେ ବଞ୍ଚିତ ହୋଇବ,
ଅଳ୍ପ କ୍ଷଣେ ମିଶିଯିବି ପଞ୍ଚଭୂତ ଦେଶେ
ବାହୁନି ବାହୁନି ତୁମେ ଅନେକ କାନ୍ଦିବ ।
ଦେହ ଯଉବନ ଦେଖି ପ୍ରେମ କଲ ବୋଲି
ଲୁହ ଢାଳ ପ୍ରିୟସଖୀ ଆଜ ବାରବାର,
ପ୍ରେମ ଯଦି କରିଥାନ୍ତ ମୋହ - ଆଶା ତ୍ଯାଗି
ବିଚ୍ଛେଦ ଦୁଃଖ ନଥାନ୍ତା ମନରେ ତୁମର ।
ଜାଣିନି କେଉଁ ଗ୍ରହରେ ଲଭିବି ଜନମ
ତୁମ ସାଥେ ଭେଟ କେବେ ହେବ କି ନହେବ,
ଯଦି କେବେ ଜନ୍ମ ନିଏ ଏଇ ଧରା ତଳେ
ହୃଦୟ ପୁଣି ତୁମକୁ ନିରବେ ଖୋଜିବ ।
ମୋ ପ୍ରେମ ନୁହେଁ ଛଳନା, ମୋହ, ପାପ ଯୁକ୍ତ
ବ୍ରହ୍ମାଣ୍ଡପତି ଜାଣନ୍ତି କେତେ ପ୍ରେମ କରେ ?
ତୁମେ ପ୍ରେମ କଲ ବୋଲି ଦେହକୁ ମୋହର
ତୁମଠୁ ଦୂରକୁ ଗଲି ବିଚାର ଅନ୍ତରେ ।
ସମୟ ଆସିଲେ ଦିନେ ତୁମେ ବି ଆସିବ
ଯେଉଁ ବାଟ ଦେଇଣ ମୁଁ ଆସିଲି ମର୍ତ୍ତ୍ଯରୁ,
ଆସିଲେ ଏଇଠି ଭେଟ ହେବା ପ୍ରିୟସଖୀ
ଯଦି ପ୍ରେମ କରୁଥିବ ମୋତେ ହୃଦୟରୁ ।