ଯେତେ ଲୁଚାଇଲେ ଲୁଚିକି ପାରିବ
ଯେତେ ଲୁଚାଇଲେ ଲୁଚିକି ପାରିବ
ଏ ପୂଣ୍ୟ ଦାଣ୍ଡରେ ପାପ ଫଳ ଯେତେ
କେବେ ପାରିବନି ଲୁଚି
ଜଣେ ତ ହିସାବ ରଖୁଛି ଏଠାରେ
ରତନ ବେଦୀରେ ବସି ।
ଜୀବନଟା ଆମ ଦୀପଶିଖା ଟିଏ
ଯାଏ ସିଏ ଜଳି ଜଳି
ଅଢ଼େଇ ଦିନର ଜୀବନ ଜାଣି ବି
ଏ ପାପ ପଙ୍କରେ ହେଉଛେ ଗୋଳି ।
କେବେ ଖରା କେବେ ଛାଇ ଏ ଜୀବନେ
କିଏ ବା ଜାଣିଛି କୁହ
ତଥାପି କାହିଁକି ଅନ୍ୟାୟ ଅନିତୀ
କରୁଛ ନଛାଡି ମୋହ ।
ଶପ୍ତ ଜୀବନର ଯନ୍ତ୍ରଣା ମାପନେ
ସର୍ବେ ହୋଇଯିବେ ଅଜ୍ଞ
ପୂଣ୍ୟମୟ ପୀଠେ ପୂଣ୍ୟ ତୁ'କରିଯା
ସଂସାରେ ହୁଅ ତୁ' ବିଜ୍ଞ ।
ଜୀବନରଦୀପ ଦିନେ ତ ଲିଭିବ
କାହାକୁ ନାହିଁ ବା ଜଣା
ପାପକୁ ଲୁଚାଇ ପାପ କରିଚାଲୁ
ହୋଇଯାଇ ବାଟବଣା ।
ଖାଲି ହାତ କରି ଆସିଛୁ ଧରାକୁ
ଖାଲିହାତେ ବାହୁଡିବୁ
ପାପ ଗାଡିଆରେ ବୁଡ ଦେଇ କିଆଁ
ହିସାବ ଖାତାରେ ନାଆଁ ଯୋଡୁଛୁ !
ସରିଯିବ ବେଳ ପୁରିଯିବ କାଳ
ହେବ ଲେଉଟାଣି ବେଳ
ଯେତେ ଲୁଚାଇଲେ ଲୁଚିକି ପାରିବ
ତୋର ପାପ ପୂଣ୍ୟ ଫଳ !
