ଅଧର ପଣା
ଅଧର ପଣା
ରଥଯାତ୍ରା ସାରି ବାହୁଡା କରିଲ
ବିଜୟା ଦଶମୀ ଦିନ
ସୁନା ବେଶ ପ୍ରଭୁ ଧାରଣ କରିଲ
ଭକତ କଲେ ଦର୍ଶନ ।
ରାଜ ରାଜେଶ୍ବର ବେଶକୁ ଧରିଲ
ତୁମେ ବ୍ରହ୍ମାଣ୍ଡ ଠାକୁର
ମାନବୀୟ ଲୀଳା ଖେଳା କରି ଗଲ
ଧରି ଭକତ ସଙ୍ଗର ।
ଭାଇ ଭଉଣୀକୁ ସଙ୍ଗରେ ଘେନିଣ
ନଅ ଦିନ ଯାତ୍ରା କଲ
ପଥ ଶ୍ରମ କ୍ଳାନ୍ତ ଦୂର ହେବା ପାଇଁ
ଅଧର ପଣା ଖୋଜିଲ ।
ମଧ୍ୟାହ୍ନ ଧୂପର ସନ୍ଧ୍ୟା ଆଳତୀ ପୂର୍ବେ
ଅଧର ପଣାର ନୀତି
ତିନି ଦିଅଁ ଅନ୍ୟ ଦେବା ଦେବୀ ପାଇଁ
ରଖିଥାନ୍ତି ସେ ସାଇତି ।
ଲାଉ ତୁମ୍ବ ଭଳି ଟେରାକୁଟା ମାଟି
ହାଣ୍ଡିମାନ ଆଣି ଥାନ୍ତି
କେତେ ଯତନରେ ତାହାରି ଭିତରେ
ପଣା ସିଏ ଭରି ଦ୍ୟନ୍ତି ।
ସର, କଦଳୀ, ଛେନା, ଜାଇଫଳ , ମିଶ୍ରି
ଗୋଲ ମରିଚ, କର୍ପୂର
ମଧୁ ,ଦହି ଦେଇ ଯତନ କରନ୍ତି
କାଳିଆକୁ ରୁଚିକର ।
ମାଣିଆ ପାଟ ବା ଛାଉଣୀ ମଠରୁ
ପାଣିକୁ ଆସନ୍ତି ନେଇ
ସେଇ ପାଣିରେ ଯେ ପଣାକୁ କରନ୍ତି
କାଳିଆ ଯେ ଦେଖୁ ଥାଇ ।
ନଅ ପ୍ରକାରର ଜିନିଷରେ ଏଇ
ପଣା ଯେ ତିଆରି ହୁଏ
ପାଳିଆ ସୁଆଦ ବୋହି ନେଇ ତାକୁ
ଅଧର ପାଖରେ ଥୁଏ ।
ତିନି ରଥେ ରଖି ଥାନ୍ତି ନଅ ପଣା
ପଣ୍ଡା ହାଣ୍ଡି ଭାଙ୍ଗି ଥାନ୍ତି
ପାର୍ଶ୍ବ ଦେବା ଦେବୀ ଯେତେ ଥିଲେ ସାଥେ
ସମସ୍ତେ ତୃପ୍ତ ହୁଅନ୍ତି ।
ନଅ ଦିନ ଜଗନ୍ନାଥଙ୍କ ସଙ୍ଗରେ
ଭୋକ ଶୋଷେ ଥିଲେ ରହି
ଏବେ ତୃପ୍ତ ହେଲେ ସେଇ ପଣା ପିଇ
ଶାନ୍ତିରେ ରହିବେ ସେହି ।
ଚଣ୍ଡୀ ଚାମଣ୍ଡା ଯେ ବରଷକୁ ଥରେ
ରହି ଥାଆନ୍ତି ସେ ଚାହିଁ
ଠାକୁରଙ୍କ ସେଇ ଅଧର ପଣାରୁ
ଟିକିଏ ପାଇବା ପାଇଁ ।
ଭଙ୍ଗା ଖପରାକୁ ଭକ୍ତମାନେ କେତେ
ଶ୍ରଦ୍ଧାରେ ନେଇ ଯାଆନ୍ତି
ଭୂତ ପ୍ରେତ ଘରେ ପଶି ପାରିବେନି
ବୋଲି ସାଇତି ରଖନ୍ତି ।
ଏକାଦଶୀ ଦ୍ୱାଦଶୀ କାଳିଆ ଠାକୁର
ରଥ ପରେ ପାଳି ଥାନ୍ତି
ତ୍ରୟୋଦଶୀ ଦିନ ରଥର ଉପରେ
ଅଧର ପଣା ପାଳନ୍ତି ।
ଜଗତର ନାଥ ପ୍ରଭୁ ଜଗନ୍ନାଥ
ପାଦରେ କୋଟି ଜୁହାର
ଦୋଷ ଅପରାଧ କ୍ଷମା କରି ପ୍ରଭୁ
ଆଶ୍ରା ଦେବ ଶ୍ରୀପୟର ।