କାର୍ତ୍ତିକ ମାସ
କାର୍ତ୍ତିକ ମାସ
ଧର୍ମ ମାସ ଏଇ ମହାକାର୍ତ୍ତିକର
ଶୁକ୍ଳ ପକ୍ଷ ପଞ୍ଚମୀରେ
ପଞ୍ଚୁକ ପଡଇ ଧର୍ମ ଆଚରଇ
ନର ଏଇ ଧରା ପରେ ।
ଶୀତ ସକାଳର ଶୀତୁଆ ଛୁଆଁରେ
ଦେହ ଯାଉଥାଏ ଥରି
ଗୋମୟରେ ଘର ଦୁଆର ଲିପନ୍ତି
ଆମ ଓଡିଆଣୀ ନାରୀ ।
କାଉ କା କା ଅନ୍ଧାର ତିମିର
ଧୀରେ ଯାଏ ଅପସରି
ପାହାନ୍ତି ପହର ଜଳେ ବୁଡ ଦେଇ
ଆସନ୍ତି ସ୍ନାହାନ ସାରି ।
ଦେବାଳୟେ ଯାଇ ଅଗଣା ଝାଟେଇ
ଗୋମୟରେ ଲିପି ଦ୍ୟନ୍ତି
ମୁରୁଜ ପକେଇ ଧୂପ ଦୀପ ଦେଇ
ହୁଳହୁଳି ଦେଉଥାନ୍ତି ।
ଶୀତ ସକାଳର ପହିଲି ସୁରୁଯ
ଉଇଁ ଆସୁଥାଏ ଧୀରେ
ଘରେ କୁଳବଧୂ ସୁରୁଯକୁ ଚାହିଁ
ଜଳ ଦ୍ୟନ୍ତି ଚଉରାରେ ।
ମୁରୁଜ ପକେଇ ଧୂପ ଦୀପ ଦେଇ
ପୂଜା ଅର୍ଚ୍ଚନା କରନ୍ତି
ଘରର ମଙ୍ଗଳ କାମନା କରିଣ
ସୂର୍ଯ୍ୟେ ଜଳ ଅର୍ଘ୍ଯ ଦ୍ୟନ୍ତି ।
ଘରେ ଦେବା ଦେବୀ ପୂଜା ସେ କରନ୍ତି
ମନେ ଭକ୍ତି ଭାବ ବହି
ଦେବାଳୟେ ତୀର୍ଥ ମନ୍ଦିରକୁ ଯାଇ
ଦର୍ଶନ କରନ୍ତି ସେହି ।
ଆମିଷ ବର୍ଜନ କରନ୍ତି କାର୍ତ୍ତିକେ
ପୁରାଣ ଚର୍ଚ୍ଚା କରନ୍ତି
କେତେ ସେ ପୁରାଣ ପଢି ଦାନ ଧର୍ମ
ନୀତି ସିଏ ଆଚରନ୍ତି ।
କାର୍ତ୍ତିକ ମାସର ଶେଷ ପାଞ୍ଚ ଦିନ
ପଞ୍ଚୁକ ନାମରେ ଖ୍ୟାତ
ହବିଷ କରନ୍ତି ଦାନ ଯେ ଦିଅନ୍ତି
ଧର୍ମ କରନ୍ତି ପ୍ରାପତ ।
ଧର୍ମ ପଞ୍ଚୁକରେ ବଗ ବଗୁଲୀ ବି
ତ୍ୟାଗ କରିଥାନ୍ତି ମୀନ
ଶ୍ରେଷ୍ଠ ଜୀବ ହେଇ ଏଇତ ମାନବ
କରେ ଆମିଷ ଭୋଜନ ।
ବାରମାସେ ଚାରିଗୋଟି ଧର୍ମ ମାସ
ଜଗତରେ ଖ୍ୟାତ ଥାଏ
ଆ- ରୁ ଆଷାଢ କା - ରୁ କାର୍ତ୍ତିକ
ମାଘ ବୈଶାଖ ବୋଲାଏ ।
କାର୍ତ୍ତିକ ମାସର ପଞ୍ଚୁକ ତିଥିରେ
ସବୁ ପୁଣ୍ୟ ଧର୍ମ ମିଳେ
ପବିତ୍ର ତୀର୍ଥରେ ଭକ୍ତି ବିଶ୍ୱାସରେ
ଯେବେ ବୁଡ ଦିଏ ଜଳେ ।
ଦାନ ଧର୍ମ ମାନ କେତେ ଆଚରନ୍ତି
କଳନା ତାହାର ନାହିଁ
ମନ୍ଦିରମାନଙ୍କେ ଅନ୍ନ ବସ୍ତ୍ର ଦେଇ
ପୁଣ୍ୟ ଲଭୁ ଥାନ୍ତି ସେହି ।
ପୂର୍ଣ୍ଣିମାରେ ଜଳେ ବୁଡ ଦେଇ ତୁଣ୍ଡେ
କହି ଆ କା ମା ବୈ
ବାର ମାସର ସେ ସବୁ ପୁଣ୍ୟ ଫଳ
ପଞ୍ଚୁକରେ ଥାନ୍ତି ପାଇ ।
କାର୍ତ୍ତିକ ମାସରେ ରାଇ ଦାମୋଦର
ବେଶ ହ୍ୱନ୍ତି ଚକ୍ରଧର
ଏଇ ପାପ ନେତ୍ର ହୁଅଇ ପବିତ୍ର
ଦର୍ଶନ କଲେ ପୟର ।
ପରନିନ୍ଦା ପର ଚର୍ଚ୍ଚାରୁ ସର୍ବଦା
ଦୂରେଇ ରହିଣ ଥିବ
ଯେତେ ଧର୍ମ କଲେ ପୁଣ୍ୟ ଅରଜିଲେ
ନ ହେଲେ ନିଷ୍ଫଳ ହେବ ।
ଅନ୍ୟାୟ, ଅସତ୍ୟ ,ଅଧର୍ମ ,ମାର୍ଗକୁ
ପରିତ୍ୟାଗ ଯେ କରିବ
ନ ହୋଇଲେ ପୁଣ୍ୟ କ୍ଷୟ ହେଇ ଯିବ
ଦୁଖ କଷ୍ଟେ ଦିନ ଯିବ ।
ଛଳନା କପଟ ମନରେ ନ ରଖି
କଲେ ପରୋପକାର
ହିଂସା, କ୍ରୋଧ ,ଲୋଭ ,ଆଶା ,ଦୂର କଲେ
ପୁଣ୍ୟ ମିଳିବ ଅପାର ।
ପାଇବାର ଆଶା ମନ ମଧ୍ୟେ ରଖି
ଦାନ କିଛି କର ନାହିଁ
ଧର୍ମ ଚାଲି ଯିବ ପୁଣ୍ୟ ବି ସରିବ
ହେବ ମୂଲ୍ୟହୀନ ଏହି ।
ବାରମାସର ସେ ପୁଣ୍ୟ ଫଳ ଯାକ
ଏକ କାର୍ତ୍ତିକରେ ପାଏ
ତାହାର ବଳରେ ଧର୍ମ ପୁଣ୍ୟ ଅର୍ଜି
ଜଗତେ ଖୁସିରେ ଥାଏ ।।