STORYMIRROR

Sambit Srikumar

Abstract Classics Inspirational

4  

Sambit Srikumar

Abstract Classics Inspirational

ବାହୁଡ଼ାଯାତ୍ରା

ବାହୁଡ଼ାଯାତ୍ରା

2 mins
0

ଏଇ ସଚରାଚର ସଂସାରରେ
ବାହୁଡ଼ିବାକୁ ଅବା କିଏ ସୁଖପାଏ?

କିଏ ଅବା ଚାହେଁ ଲେଉଟି ଯିବାକୁ ସ୍ବେଚ୍ଛାରେ?


ପ୍ରିୟଜନଙ୍କ ଗହଣରୁ ମେଲାଣି ଘେନିବାକୁ
କାହାକୁ ଅବା ଲାଗେ ପ୍ରୀତିକର?

ଛାତି ଚିରି ହୋଇଯାଏ ଅସହ୍ୟ ଯନ୍ତ୍ରଣାରେ
କଣ୍ଠ ବାଷ୍ପରୁଦ୍ଧ ହୋଇଯାଏ ଅକୁହା କୋହରେ
ମ୍ରିୟମାଣ ହୋଇଯାଏ ମନପ୍ରାଣ ଓ ହୃଦୟ
ବିଚ୍ଛେଦର ଦାରୁଣ ଦୁଃଖରେ
ଉଦବେଳିତ ହୋଇଉଠେ ଜାଗତିକ ସତ୍ତା
ଆତ୍ମିକ ଅଭାବବୋଧରେ।

କିନ୍ତୁ ବିଧିର ବିଧାନ ତ ମାନିବାକୁ ପଡ଼ିବ
ନିଷ୍କରୁଣ ସତ୍ଯ ଇଏ ଜୀବନର
ଦେବତା ହୁଅନ୍ତୁ ଅଥବା ମାନବ
ଯିଏ ଅବା ଆସିଥାନ୍ତି ତାହାଙ୍କ ଲେଉଟାଣି ତ
ବିଧିନିର୍ଦ୍ଧିଷ୍ଟ ପୂର୍ବନିର୍ଦ୍ଧାରିତ
ଇଛା ଅନିଚ୍ଛାର ଉର୍ଦ୍ଧ୍ବରେ।

ଏଇ ତ ବାହୁଡ଼ା ଦଶମୀ ଆସିବ ଆସିବ ବୋଲି
ବତୁରି ଆସେ ଲୁହ ଗୁଣ୍ଡିଚାରାଣୀଙ୍କ ଆଖିରେ
ଅକୁହା କୋହରେ ରୁନ୍ଧି ହୋଇଯାଏ ଛାତି
ଭାଇ ଭଉଣୀଙ୍କ ସହିତ କଣ ଜଗା ଫେରିଯିବ
ତା' ବଡ଼ ଦେଉଳକୁ ସତରେ?

ସେ ତ ଭାବବିନୋଦିଆ ଭାବଗ୍ରାହୀ
ଭାବଭକ୍ତି ଶ୍ରଦ୍ଧା ମମତାର ରଜ୍ଜୁରେ ବନ୍ଧା
କେଉଁ କାଳେ କଥା ଦେଇଥିଲା ବୋଲି
ଫି ସାଲ ଛେଚାକଚା ଖାଇ ଆସେ ଝୁଲି ଝୁଲି
ଐଶ୍ଵର୍ଯ୍ୟ ବିମଣ୍ଡିତ ନୀଳାଚଳ ତ୍ୟାଗ କରି
ବଡ଼ଦାଣ୍ଡେ ଭକ୍ତଗଣ ମେଳେ ଗହଳ ଲଗାଇ
ଘରଣୀରାଣୀର ମାନ ଅଭିମାନ ଗୁମାନ
ସାଂସାରିକ ମୋହ ମାୟା ସବୁ ପଛକୁ ପକାଇ।

ନ' ଦିନ ପାଇଁ କଣ୍ଟ କରି ନବଦିନାତ୍ମକ
ଘୋଷ ଯାତ୍ରାରେ ମହାଡମ୍ବରରେ ଭାଇଭଉଣୀଙ୍କ
ସହିତ ସମଗ୍ର ବିଶ୍ବବ୍ରହ୍ମାଣ୍ଡକୁ ସାଥୀରେ ଧରି
ମାତ୍ର ଚାରି ପାଞ୍ଚ ଦିନର ଆଡ଼ପ ମଣ୍ଡପ ବିଜେ
ସୁନ୍ଦରାଞ୍ଚଳରେ ଦିବ୍ୟ ରାସୋତ୍ସବ
ଅଗଣିତ ଶ୍ରଦ୍ଧାଳୁ ଭକ୍ତଙ୍କ ପଦପାତ ଗହଳ ଚହଳ
ଶରଧାବାଲିରେ ଯାନିଯାତ ଗହଗହ ନାଦରେ
କଣ ଘଟିବ ଯବନିକା ଆଖି ପଲକରେ?

ବେନି ନେତ୍ରରେ ପ୍ରତ୍ଯକ୍ଷ କରି ବି
ମନରେ ବିଶ୍ବାସ କରି ହୁଏ ନାହିଁ
ଯେଉଁ ମହାର୍ଘ ରଥଯାତ ପାଇଁ
ଶ୍ରୀପଞ୍ଚମୀର ପାବନ ତିଥିରୁ ପ୍ରାରମ୍ଭ ହେଉଥିବା
ଦୀର୍ଘ ଅର୍ଦ୍ଧେକ ବର୍ଷର ଅକ୍ଲାନ୍ତ ପରିଶ୍ରମ
ଅପରିମିତ ପ୍ରସ୍ତୁତି ସବୁ କିଛି କଣ ସରିଯାଏ
ଦିନ କେଇଟାରେ ମାତ୍ର ମୂହୁର୍ତ୍ତ କିଛିରେ?

ଅସମାହିତ ପ୍ରଶ୍ନର ଉତ୍ତାଳ ଜୁଆର ଉଠେ
ଶରଧାବାଲିରେ ସମବେତ ଜନସମୁଦ୍ରରେ
ଜନ୍ମ ବେଦୀ ଗୁଣ୍ଡିଚାମାଆଙ୍କ ଆଦର ସ୍ନେହ ଶ୍ରଦ୍ଧାକୁ
ପଛରେ ପକାଇ ପୁନଃ ଆଗମନର ନିର୍ଭର
ପ୍ରତିଶ୍ରୁତି ଦେଇ ରଥର ଘର୍ଘର ନାଦରେ
ବିଶ୍ବ ବ୍ରହ୍ମାଣ୍ଡ ଗୋସାଇଁ ରାଜରାଜେଶ୍ଵର
କୋଟି କୈବଲ୍ୟନାଥ ଲେଉଟି ଆସନ୍ତି
ବଡ଼ ଦେଉଳକୁ ବିଧିର ବିଧାନକୁ ସମ୍ମାନ ଜଣାଇ
ଆପଣା କର୍ତ୍ତବ୍ୟବୋଧର ବାର୍ତ୍ତା ବାଣ୍ଟି ବାଣ୍ଟି।

ଦେବତା ହୁଅନ୍ତୁ ଅଥବା ମାନବ
କେହି ବି ନୁହଁନ୍ତି ସୃଷ୍ଟିର ନିୟମରୁ ଉର୍ଦ୍ଧ୍ବରେ
ସଭିଏଁ ଜନ୍ମଭୂମିରୁ ବାହୁଡ଼ି ଆସନ୍ତି କର୍ମଭୂମିକୁ
ହୃଦୟରେ ପର୍ବତ ପ୍ରମାଣ ବୋଝ ବୋହି
ସଜଳ ନେତ୍ରରେ ସେଇ ନିଷ୍କରୁଣ ସତ୍ଯର ଦାୟରେ
ଆପଣାର ଗୁରୁ ଦାୟିତ୍ବ କର୍ତ୍ତବ୍ୟ ସମାପନର ଅଭିପ୍ରାୟରେ।

©ସମ୍ବିତ୍ ଶ୍ରୀକୁମାର


Rate this content
Log in

Similar oriya poem from Abstract