ମନମୋହନ ମଧୁସୂଦନ
ମନମୋହନ ମଧୁସୂଦନ
ନବ ନୀଳକାନ୍ତି ଅପରୂପ ଜ୍ୟୋତି
ମୃଦୁ ମନୋହର ସେ ମିଠା ହସ
ମଧୁମୟ ସ୍ଫୁର୍ତ୍ତି ମନ୍ଦ ମନ୍ଦ ଗତି
ଲାଲିମା ଲାଳିତ୍ୟ ସସ୍ମିତ ରୀତି
ଠାଣି ତୁମ ମନ ଲୋଭା
କି ମାଧୁରୀ ତୁମ ରୂପରେ ଅଛି ହେ
କାନ୍ତିରେ ଅପୂର୍ବ ବିଭା ।
ହେ ମନ ମୋହନ ଦିବ୍ୟ ଭାବ ମୟ
ବେଶ ରେ ମିଷ୍ଟତା ଭରା
ମନନିଏ କିଣି ଦୁଃଖ ହୁଏ ପାଣି
ତୁମେ ପ୍ରେମର ଫୁଆରା
ଗୋପୀ ମନୋହାରୀ ଯଶୋଦା ସଙ୍ଗାଳି
ରାଧିକା ପ୍ରୀତି ରେ ଘେରା
ମୋହନ ବଂଶୀର ଅପୂର୍ବ ରାଗରେ
ବାନ୍ଧି ରଖିଥିଲ ଜଗତ ସାରା ।
ଶାଶ୍ଵତ ପ୍ରେମର ଛନ୍ଦେ ଛନ୍ଦାୟିତ
ଅପୂର୍ବ ଛନ୍ଦରେ ଦୃଷ୍ଟି ମଧୁରା
ମନ ମୋହନ ହେ ମଧୁମୟ ସୃଷ୍ଟି
ତୁମରି ଦର୍ଶନେ ହୁଏ ବିଧୁରା
ମନ ମୋହି ତୁମେ ବାଳୁତ ସମୟେ
ପ୍ରାଣ ନେଇଅଛ ଦୁଷ୍ଟ ପାମରା |
ମନ ମୋହିଛ ହେ ମଧୁସୂଦନ
ପୁତନା, ରାକ୍ଷସ ବଂଶ ତାରଣ
ଅପୂର୍ବ ଠାଣିରେ ବଂଶୀ ର ବାଣୀରେ
ପାପ ବିନାଶିଛ ମଧୁସୂଦନ
ହେ ଛନ୍ଦା ପୟର ପାଦରେ ନୁପୁର
ହସତ୍ ମୁଖ ନେଇ ଯେ ରୁଦ୍ଧିମନ୍ତ
ମୁଖାରବିନ୍ଦରୁ ମଧୁ ଝରୁ ଅଛି
ପ୍ରତି ହୃଦୟ ରେ କରିଛ ଘର |
ତୁମ ବଂଶୀ ସ୍ୱନେ ସର୍ବେ ମୋହିତ
ତରୁ ଲତା ପୁଣି ଜୀବଜଗତ
ଯମୁନା ମୋହିତ କଦମ୍ବ ପ୍ରୀତ
କଳ କଲ୍ଲୋଳିନୀ ବାସ ପୁଷ୍ପିତ
ମଧୁମୟ ତୁମ ଠାଣି
ଜଡ ରୁ ଚେତନ ସର୍ବେ ଆନମନା
ଧନ୍ୟ ତୁମର ଚାହାଣୀ |
ପିତାମ୍ବର ଲୋଟେ ଅପୂର୍ବ ଛନ୍ଦେ
ଓଷ୍ଠ ର ମୁରଲୀ ପ୍ରେମ ନିନାଦେ
ଘୁର୍ଣ୍ଣିତ କୁନ୍ତଳ ଦିଶଇ ସଜଳ
ମୟୁର ଚନ୍ଦ୍ରିକା ଚୁଡ଼ାରେ ସାଜେ
ପ୍ରୀତିମୟ ଗୀତମୟ
ଚ଼ାହିଁ ଦେଲେ ଥରେ ବେଦନା ହଜଇ
ତୁମେ ଯେ ଅଚିନ୍ତନୀୟ ।
ମୂରୁତି ତୁମର ଏତେ ସୁନ୍ଦର
ସତେ ଆସନ୍ତ କି ମୁରଲୀ ଧର
ଦିବ୍ୟ ମୟ ହୋଇ ଯାଆନ୍ତା ନୟନ
ଲିଭନ୍ତା ପ୍ରତୀକ୍ଷା ମୋର
ଭାବ ଭଙ୍ଗିମାରେ ପ୍ରେମର ଛନ୍ଦରେ
ଲେଖି ଦିଅନ୍ତ ସ୍ଵାକ୍ଷର ।
ମନ ମୋହନ ହେ ଭକ୍ତ ଜୀବନ
ମୀରା ର ଧନ ହେ ରାଧା ଜୀବନ
କୁନ୍ତୀ ପ୍ରୀତି ପୁଣି ଅର୍ଜ୍ଜୁନ ପ୍ରେମ
ଯାଜ୍ଞସେନୀ ସମର୍ପଣ
ବିଦୂର ବିଶ୍ୱାସ ସୁଦାମା ସର୍ବସ୍ଵ
ଭାବମୟ ଜନାର୍ଦ୍ଦନ ।
ଦିବ୍ୟ ହସ କାନ୍ତି ଦିବ୍ୟ ବେଭାର
ଦିବ୍ୟ ବଂଶ ସ୍ୱନ ମୁଗ୍ଧ ବିଚ଼ାର
ଜୀବନ ଜିଜ୍ଞାସା ପୃଷ୍ଠା ମଣ୍ଡନ
ଅଭିବ୍ୟକ୍ତି ରେ ଯେ କି ସମ୍ମୋହନ
ମୁରାରୀ ମଧୁସୂଦନ
ଭକ୍ତଙ୍କୁ ଦେଇଛ ଦିବ୍ୟ ଦର୍ଶନ |
ଗୋପ ବୃନ୍ଦାବନ ଅବା ଦ୍ୱାରିକା
ମନ ମୋହନ ଙ୍କ ଅପୂର୍ବ ଚର୍ଚ୍ଚା
ଦର୍ଶନେ ମୋହିତ ଶ୍ରଦ୍ଧା ପୂର୍ଣ୍ଣ ସ୍ରୋତ
ସଦା ପ୍ରବାହିତ ହୃଦୟ ଉଚ୍ଚା
ମନ ଚେତନ ମୋହିତ
ବେଦନାର ସ୍ରୋତ ହୁଏ ବିରହିତ
ଦେଖିଲେ ଦେବକୀ ସୂତ ।
ଆସ ହେ କେଶବ ଶ୍ରୀକୃଷ୍ଣ ମୁରାରୀ
ଜଗତକୁ ଦିଅ ଜ୍ଞାନର ବାରି
ଆଉ ଥରେ ଗୀତା ଜ୍ଞାନ ଯେ ଦିଅ
ଅସୂୟା ଅନୀତି ଯାଉ ଦୂରେଇ
ହେଉ ପାପର ବିନାଶ
ମନମୋହନ ହେ ମଧୁ ସୂଦନ
ଧରାକୁ ଓହ୍ଲାଇ ଆସ ।
