ଉଜାଗର ରହି ଜାଳେ ଜାଗର
ଉଜାଗର ରହି ଜାଳେ ଜାଗର
ଫାଲ୍ଗୁନ ମାସର କୃଷ୍ଣ ଚତୁର୍ଦ୍ଦଶୀ
ଜାଗର ନାମରେ ଖ୍ୟାତ
ଉଜାଗର ରହି ଜାଗର ଜାଳନ୍ତି
ତୋଷିବାକୁ ପାଶୁପତ ।
ଗାଁ ଠୁ ସହର ମନ୍ଦିର ଯେ ସଜ୍ଜା
ଅପରୂପ ପରିବେଶ
ଭୋଳା ଶଙ୍କରଙ୍କ ପୂଜନେ ମୁଖର
କି ସୁନ୍ଦର ଆଶୁତୋଷ ।
ସତ୍ୟ ସୁନ୍ଦର ଶିବ ସନାତନ
ସମୁଦ୍ର ମନ୍ଥନ କାଳେ
ଜଗତ ହିତରେ ଗରଳ ପିଇଲେ
ଚେତାଶୂନ୍ୟ ହୋଇଥିଲେ ।
ମହେଶ୍ଵର ଚେତା ଫେରିବା କାରଣେ
ଦେବଗଣଙ୍କର ସ୍ତୁତି
ଉମାପତି ହେଲେ ନୀଳକଣ୍ଠ ପରା
କୁହେ ଆମ ଶାସ୍ତ୍ର ଶୃତି ।
ଉଜାଗର ହୋଇ ଜାଳଇ ଜାଗର
ମନ୍ଦିର ଉତ୍ସବେ ଭରା
ଘଣ୍ଟ ଘଣ୍ଟା ଶଦ୍ଦେ ବେଢ଼ା ପ୍ରକମ୍ପିତ
ଛୁଟେ ଭକତି ଫୁଆରା ।
ଉଜାଗର ହୋଇ ଜାଳଇ ଜାଗର
କେତକୀ ତୋଳି ଆଣିଛି
କେତକୀ ପ୍ରତୀକ୍ଷା ଅନ୍ତ ହୋଇଅଛି
ଶଙ୍କରେ ଲାଗି ହୋଇଛି ।
ଉଜାଗର ହୋଇ ଜାଳଇ ଜାଗର
ଡାଲାରେ ଗଇଶ ଫୁଲ
ଶହେ ଆଠ ବେଲ ପତ୍ର ସଜାଇଛି
କ୍ଷୀର କଦଳୀ ନବାତ ।
ଆହା କି ସୁନ୍ଦର ବେଶ ମହେଶ୍ୱର
ମନ୍ଦିର ଦୀପରେ ଭରା
ଗୁଆ ଘିଅ ସାଥେ ସଳିତା ଜଳଇ
ଭକ୍ତି ଭାବମୟ ପରା ।
ଉଜାଗର ରହି ଜାଗର ଜାଳଇ
ପ୍ରଭଙ୍କୁ ସ୍ମରଣ କରେ
ଦୀପ ଜଳାଇ ମୁଁ ନିଜ ଭିତରକୁ
ପରଖି ଯେ ଦେଉଥାଏ ।
ଉଜାଗର ରହି ଜାଗର ଜାଳଇ
ଜଗତ ମଙ୍ଗଳ ପାଇଁ
ଜଗତ ମଙ୍ଗଳ ହୋଇଗଲେ ପରା
ବ୍ୟକ୍ତି ମଙ୍ଗଳ ହୁଅଇ ।
ଉଜାଗର ରହି ଜାଗର ଜାଳଇ
ପ୍ରଭୁ ପରିବାର ଦିଶେ
ଖାଦ୍ୟ ଖାଦକର ଅପୂର୍ବ ମିଳନ
ସୁନ୍ଦର ବାରତା ଦିଏ ।
ଉଜାଗର ହୋଇ ଜାଗର ଜାଳଇ
ମନ ଶାନ୍ତ ହୋଇଯାଏ
ନିଦ ମାଉସୀ ତ ବାଟ ଭୁଲିଯାଏ
ତନ୍ଦ୍ରା ଆଖିରେ ନଥାଏ ।
ଗାଁ ଠୁ ସହର ଶିବ ମନ୍ଦିର ଯେ
ଦୀପରେ ଦୀପରେ ଭରା
ପବିତ୍ର ପାବନ ମନ୍ଦିର ପ୍ରାଙ୍ଗଣ
ମନରେ ପବିତ୍ର ଭରା ।
ଉଜାଗର ରହି ଜାଗର ଜାଳଇ
ଶିବ ତତ୍ତ୍ଵେ ମନ ଭରା
ପଶୁ ପକ୍ଷୀ ପ୍ରେମ କେ ନୁହେଁ ନିଉନ
ବାହନ ଦିଏ ଇସାରା ।
ଶିବ ପରିବାରେ ସର୍ପ ବି ଅଛନ୍ତି
ମୂଷିକ ବି ଉପସ୍ଥିତ
ବ୍ୟାଘ୍ର ବି ଅଛଇ ମୟୂର ବି ଅଛି
ସଭିଙ୍କ ଅଛି ମହତ୍ତ୍ଵ ।
ଉଜାଗର ହୋଇ ଜାଗର ଜାଳଇ
ଆଶୁତୋଷେ ତୋଷ ପାଇଁ
ସୁନ୍ଦର ତତ୍ତ୍ଵକୁ ମଣିଷ ସମାଜେ
ବିତରି ଦେବାର ପାଇଁ ।
ଉଜାଗର ହୋଇ ଜାଗର ଜାଳଇ
ସୃଷ୍ଟି ଶ୍ରେଷ୍ଠ ହେବାପାଇଁ
ଏ ବିଶ୍ଵ ବୁକୁରୁ ଯେତେ ଅମଙ୍ଗଳ
ଘୁଞ୍ଚୁ ହେ ମଙ୍ଗଳକାରୀ ।
ଜନ ହିତେ ମନେ ସ୍ଫୁରଣ ହେଉ ହେ
ଉଠୁ ପ୍ରେମର ତରଙ୍ଗ
ସଂସ୍କାରର ସେତୁ ତିଆରି ହେଉ ହେ
ହେଉ ବିବେକ ଉତ୍ପନ୍ନ ।
ଉଜାଗର ହୋଇ ଜାଗର ଜାଳଇ
ଜଗତ ମଙ୍ଗଳ ହିତେ
ହରା ଭରା ହେଉ ଏ ଆମ ପୃଥିବୀ
ମାଗୁଅଛି ମଥାନତେ ।