STORYMIRROR

Rajabala Tripathy

Abstract Inspirational

4  

Rajabala Tripathy

Abstract Inspirational

ଦାଗ ସମ୍ଭାବନାର

ଦାଗ ସମ୍ଭାବନାର

1 min
548


ମୋ ଧଳା ସାଲ୍ୱାର ପଛରେ

ଆଜି ଲାଗିଛି ଗୋଟେ

ନାଲି ରଙ୍ଗର ଦାଗ ।।

ଲଜ୍ୟା ଲଜ୍ୟା ଲଜ୍ୟା

ମୋତେ ଲୁଚିବାକୁ ହେବ

ନହେଲେ ଲୁଚେଇବାକୁ ।।

ସେଇ ନାଲି ରଙ୍ଗ

କୁଆଡେ

ଭାରି ବିପଦ ।।

କେବଳ ମୋ ପାଇଁ ନୁହେଁ

ମନ୍ଦିର ପାଇଁ ପୂଜାରି ପାଇଁ

ମସଜିଦ ପାଇଁ ମୌଲବୀ ପାଇଁ

ରୋଷେଇ ଘରର ଏରୁଣ୍ଡି ପାଇଁ ।।

ପଡିଶା ଘରର ପୁଅଟି ପାଇଁ

ମୋ ବାପା ପାଇଁ ଭାଇ ପାଇଁ

ପୁରା ସମାଜ ପାଇଁ ।।

ତେଣୁ ...ମୋତେ ଲୁଚିବାକୁ ହେବ

ନହେଲେ ଲୁଚେଇବାକୁ

ଲଜ୍ୟା ଲଜ୍ୟା ଲଜ୍ୟା ।।

ସାଙ୍ଗ ଦେଲା ଓଢଣୀ ଟେ

ନେ ଲୁଚେଇଦେ

ସେ ନାଲି ରଙ୍ଗ ।।

ମା ଦେଲା ପରଦା ,ବୁର୍ଖା

ଜେଜେମା ଚାରିକାନ୍ଥର ବାଡ଼

ନେ ଲୁଚେଇଦେ ସେ ନାଲି ରଙ୍ଗ ।।

ସତେ କଣ ଲୁଚିଯିବ

ଚିକକ୍କ୍ଣ ଡହ ଡହ ସେ ରଙ୍ଗ ।।

କାହିଁ କେତେ କାଳରୁ

ସୃଷ୍ଟିର ବୋଝ ବୋହି ବୋହି

ଆହୁରି ସ୍ପଷ୍ଟ

ଆହୁରି ତେଜ

ଆହୁରି ନାଲି ।।

କିଏ ବା ଲୁଚେଇପାରିବ ତାକୁ

ପୂଜାରି

ମୌଲବୀ

ଦେବତା

ନା

ପଡିଶା ଘରର ଆଖିସବୁ ।।

ନାହିଁ ..କେହି ନୁହେଁ

ସମ୍ଭବ ନୁହେଁ ତାକୁ ଲୁଚେଇବା

ଯାହା ଡ଼ହ ଡ଼ହ ଦିଶେ

ବିନ୍ଦୁଏ ପ୍ରବାଳ ପରି ।।

ମୁଁ କାହିଁକି ଲୁଚେଇବି

ମୋ ସର୍ଜନାର ଦାଗ ଟିକୁ

ମୋ ସୃଷ୍ଟିର ପ୍ରତିକଟିକୁ ।।

କାହିଁକି ବା ଲୁଚିବି

କାହାକୁ ଲାଜ କରିବି ।।

ସେ ପୁରୁଷ ହେଉ ବା ନାରୀ..

ସେ ମୌଲବୀ ହେଉ ବା ପୂଜାରି ।।

ଏଇ ଦାଗ ବିନା

କଣ ସମ୍ଭବ ହୁଅନ୍ତା ତାଙ୍କ ଅସ୍ତିତ୍ବ ।।

ନା ମୁଁ ଲୁଚିବି ନା ଲୁଚେଇବି ।।

ଆହୁରି ତେଜିୟାନ ହେଉ ସେ ଦାଗ

ଡହ ଡ଼ହ ଦିଶୁ..ଟକ ଟକ ଦିଶୁ

ଦୁନିଆର ସବୁତକ ଲଳିମାକୁ ନେଇ

ଆତ୍ମ ପ୍ରକାଶ କରୁ

ସବୁ ବୁର୍ଖା ପର୍ଦା

ସବୁ ଓଢଣୀ ସବୁ କାନ୍ଥର ପଛରୁ ।।

କାରଣ

କିଛି ଦାଗ

ଖୁବ ଜରୁରୀ

ଖୁବ ସୁନ୍ଦର

ଦାଗ ସମ୍ଭାବନାର ।।

ରାଜବାଳା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract