କିଛି ବାପା
କିଛି ବାପା
କିଛି ବାପା
ପାଲଟନ୍ତି ଦୁଇ ଯୋଡ଼ା ପକ୍ଷ
ନିଜ କୁନି ମୁନି ଟୁନିର ।
ଭରସା ଦିଅନ୍ତି
ବିଶ୍ୱାସର ଡେଣାରେ
ଉଡିଯିବାକୁ ଦୂର ଦୂରାନ୍ତକୁ ।।
କିଛି ବାପା ଛନ୍ଦି ଯାଆନ୍ତି
ଜଞ୍ଜିରଟିଏ ହୋଇ
ଏରୁଣ୍ଡି ବନ୍ଧରୁ ଆଗକୁ ବଢ଼ୁଥିବା
ନରମ ପାଦ ଯୋଡିକରେ ।
ସ୍କୁଲ ଜୋତା ନୁହେଁ
ପିନ୍ଧେଇ ଦିଅନ୍ତି
ଦୁଇ ଧାର ଅଳତାର ଗାର
ସିନ୍ଦୁର ଫରୁଆରେ
ବନ୍ଧା ପଡ଼ିଯାଏ
ସୁନା ଝିଅର ଭାଗ୍ୟ ଭବିଷ୍ୟତ
ଠିକ ସାତ ତାଳ ପାଣି
ଆଉ ସାତ ତାଳ ପଙ୍କ
ଭିତରେ ଥିବା ଫରୁଆରେ
ବୁଢ଼ୀ ଅସୁରୁଣୀର ପ୍ରାଣ ପରି ।।
କିଛି ବାପା ଆକାଶରୁ ଜହ୍ନ ତାରା
ତୋଳିଆଣି ହାତରେ ଦିଅନ୍ତି
ଆଉ କିଛି ଜହ୍ନକୁ ଉଡିଯିବାକୁ
ନୂଆ ନୂଆ ରାସ୍ତା ତିଆରି କରନ୍ତି।।
ବାପାମାନେ କେମିତି ଯେ
ମୁଣ୍ଡ ଉପରର ଛାତ ହେଉ ହେଉ
ଜଗୁଆଳ ପାଲଟନ୍ତି
ନିରୀହ ଆଖିର ସ୍ବପ୍ନର
ଅଝଟିଆ ମନର ।
କଡା ଆଖିର ଚାହାଣୀରେ
ଥମିଯାଏ ଓଠରୁ କଥା
ନଇଁ ଯାଏ ଉଠିଥିବା ଆଖି।।
ବାପା କେବେ ମଧୁର ମଳୟ
ତ କେବେ ବଇଶାଖି ଝଡ଼
କେବେ ଗହ ଗହ ଘର ତ
କେବେ ପୁଣି ନିଶବ୍ଦ ନିଡ଼ ।।
ଜନ୍ମ ଦେବା ଆଉ ବାପା ହେବା
ତଫାତ ଆକାଶ ଆଉ ପାତାଳର
ବୀର୍ଜ୍ୟ ଦାନ ପୁରୁଷଟି ପାଇଁ
ଖୁବ ସହଜ ସାଧାରଣ।
କିନ୍ତୁ ବାପା ହେବା
ଯେତେ ଦୁରୁହ
ସେତେ ଅସାଧାରଣ ।।
ସବୁତକ ଅନ୍ଧାରକୁ ଛାତିରେ ଜାବୁଡି
ଯିଏ ଆଲୁଅ ଛିଞ୍ଚୁ ଥାଏ
ସିଏ ବାପା ।।
ନିଜ ଇଚ୍ଛାରେ ତାଲା ପକେଇ
ଯିଏ ଅଙ୍କୁରଟିକୁ
ଖରା କାକରରୁ ବଞ୍ଚାଉ ଥାଏ
ସିଏ ବାପା ।।
ଆକାଶରୁ କୁସୁମ ତୋଳିଆଣି
ଯିଏ କେଶ ସଜାଉଥାଏ
ସିଏ ବାପା ।।
ଦୁଇ ବାହୁର ସୁରକ୍ଷାରେ
ଯିଏ କଳିଟିକୁ ଫୁଲକରି ଫୁଟାଉ ଥାଏ
ସିଏ ବାପା ।।
ଲୁହ ଲହୁ ଢାଳି ଯିଏ
ଚାରାଟିକୁ ପାଳି ପୋଷି
ମହା ଦ୍ରୁମ କରୁଥାଏ
ସିଏ ବାପା ।।
ନାଁ ଏତେ ସହଜ ନୁହେଁ
ପାଣିରେ ଗାରଟିଏ ଟାଣିବା
ସୀତାଙ୍କୁ ତିନିଗାର
ଲକ୍ଷ୍ମଣ ରେଖା ଡେଇଁବାକୁ
ଭରସା ଦେବା
ଜମା ସହଜ ନୁହେଁ କେବେ
ବାପାଟିଏ ହେବା।।