STORYMIRROR

Rajabala Tripathy

Tragedy

4  

Rajabala Tripathy

Tragedy

ବଳାତ୍କାର ସେଇଟା ପୁଣି କଣ

ବଳାତ୍କାର ସେଇଟା ପୁଣି କଣ

1 min
153


ବଳାତ୍କାର ସେଇଟା ପୁଣି କଣ?

ଆମ ଦେଶରେ ବଳାତ୍କାର ହୁଏନା 

କେବଳ କିଛି ଖୁବ ନିରୀହ

ଗରମ ରକ୍ତ ବିଶିଷ୍ଟ ପୁରୁଷ ପୁଅମାନଙ୍କର ପାଦ ଖସି ଯାଏ

ବୟସ ବେଳେ ଏମିତି ଛୋଟ ମୋଟ ଭୁଲ(?) ହେବନି କି


ସେଥିରେ ତାଙ୍କର ବା କଣ ଦୋଷ 

ଦୋଷ ଜିନନ୍ସ ବା ସ୍କଟର

 ନିଛାଟିଆ ଆଉ ଝିଅର କମ୍ବିନେସନଟାର

ସେ ରାତି ହେଉ ବା ଦିନ  

ପୁଣି ଆହୁରି କେତେ ଲମ୍ବା ଲିଷ୍ଟ

ଆଃ ! ବିଚରା ନିଜକୁ ବା କେତେ ଅଟକେଇବେ ।


ବଳାତ୍କାର ସେଇଟା ପୁଣି କଣ?

ଆମ ଦେଶରେ ବଳାତ୍କାର ହୁଏନା

ପୁରୁଷର ଅଧିକାର ଭୁକ୍ତ ରାତିରେ ନିଜ ଭାଗ ବସାଉଥିବା

ନିଜ ପସନ୍ଦର ପୁରୁଷର ହାତ ଧରି ବାଟ ଚାଲୁଥିବା

ନିଜ ଇଛାରେ ଜୀବନ ବଞ୍ଚୁଥିବା 

ଝିଅମାନଙ୍କୁ

ସେମାନଙ୍କର ଔକାତ ଦେଖେଇ ଦିଆଯାଏ କେବଳ

ଦେଖେଇ ଦିଆଯାଇ ସେମାନଙ୍କର ଉଚିତ ସ୍ଥାନ

ପୋଡାମୁହିଁ ଗୁଡ଼ାକଙ୍କର ଏତେ ବହପ

ଧସେଇ ପଶିବେ ଆମ ସାମ୍ରାଜ୍ୟକୁ ।।


ବଳାତ୍କାର ସେଇଟା ପୁଣି କଣ??

ନିଜ ଗରମ ମେଣ୍ଟିଲା ପରେ

ନିରୀହ ମନ ନେଇ 

ଆମେ କେବେ ତୁମ ଯୋନୀରେ 

ପୁରାଉ ଲୁହା ଛଡ଼

କେବେ ବୋତଲ କେବେ ପଥର ଆଉ କେବେ କଣ 

କେବେ ତଣ୍ଟି ଚିପି ତ କେବେ ପଥର ଛେଚି 

କେବେ ନିଆଁରେ ଜୀଅନ୍ତା ଜାଳି ଦେଉ

ହ ବଞ୍ଚିଥିଲେ ତ କହିବ

ତେବେ ବଞ୍ଚି କଣ ବା କରିବ 

ଇଜ୍ଜତ ଗଲା ପରେ ସମାଜରେ 

ତାର ବା ସ୍ଥାନ କଣ

ଦେଖ ଆମ ସାମାଜିକ ବ୍ୟବସ୍ଥା

ଦୋଷ କରୁ ଆମେ ଦଣ୍ଡ ପାଏ ସିଏ

ନିଜ ଯୋନି ଆଉ ସ୍ତନକୁ

ସୁରକ୍ଷା ନ ଦେଇ ପାରିବାର ଦୋଷ

 କଣ କେବଳ ଦୋଷ କି

ସେ ପରା ମହା ପାପ


ବଳାତ୍କାର ସେଇଟା ପୁଣି କଣ?

ଯତ୍ର ନାର୍ଯ୍ୟାନ୍ତୁ ପୁଜ୍ୟନ୍ତେ

ଆମେ ପା ନାରୀକୁ ପୂଜା କରୁ 

ଦେବୀ କହୁ ମା କହୁ ମହାନ କହୁ

ତୁମକୁ ବି ମିଳିବ ଯେ

ଏଇ ସବୁ ଓଜନିଆ ଟ୍ୟାଗ

ହେଲେ ଯିବାକୁ ପଡ଼ିବ ଘରର ଚାରିକାନ୍ଥ ଭିତରକୁ

ଗୋଡେଇ ହେବାକୁ ପଡିବ ପରଦା ବୁର୍ଖା 

ନାଁ ନାଁ ଚାକିରୀ ନୁହେଁ

ପତି ପରମେଶ୍ବରର ନାଁ ରଟି ରଟି ବିତେଇବାକୁ ହେବ ଜୀବନ

ତେବେ ତ ତୁମେ ସୁରକ୍ଷିତ ହେଇପାର

ପର କଟା ପଞ୍ଜୁରି ବଦ୍ଧ ପକ୍ଷୀଟିଏ ପରି


ତୁମେ ଯେତେ କ୍ୟାଣ୍ଡଲ ମାର୍ଚ୍ଚ କର

ଯେତେ ଚିତ୍କାର କର ନାରୀ ସ୍ୱାଧୀନତାର ସମାନତାର 

ଯେତେ ଲେଖ 

ଖବରକାଗଜରେ କିମ୍ବା ଫେସବୁକ କାନ୍ଥରେ

କିନ୍ତୁ ସତ୍ୟ ଏଇଟାଚାହିଁଲେ ବି ଅସ୍ୱୀକାର କରିପାରିବନି


ବଳାତ୍କାର ସେଇଟା ପୁଣି କଣ??

ଆମ ଦେଶରେ ବଳାତ୍କାର ହୁଏନା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy