ମୁଁ ନାରୀ
ମୁଁ ନାରୀ
ତୁମେ ମୋତେ
ଯେତେବେଳେ ଦେଖ
ଦେଖ ଖାଲି
ମୋର ସ୍ତନଯୁଗଳ
ଯାହା ଉଚ୍ଚାଟ କରେ
ତୁମ ଯୌନତାକୁ ।
ଓଠ
ନାଭି
ଯୋନୀ
କେବଳ କଣ ଏତିକି ମୁଁ ।
କାହିଁକି ଦେଖିପାରନାହିଁ
ମୋ ହୃଦୟ
ହୃଦୟରେ ଗଚ୍ଛିତ
ଶବ୍ଦ ସବୁ
ଯିଏ ଦୁଃଖୀ ହୁଏ ସୁଖି ବି ।
କାହିଁ ପଢିପାରନାହିଁ
ମୋ ହୃଦୟର ଭାଷା
ଯାହା ବନ୍ଦୀ ହୋଇ ରହିଛି
ଅନନ୍ତ ଗଭୀରରେ
ମୁକ୍ତିର ଅପେକ୍ଷାରେ ।
ଦେଖ ନାହିଁ
ମୋ ମସ୍ତିଷ୍କ
ଯିଏ ଭାବିପାରେ
ଗଣିତର କଠିନ ସୂତ୍ର ସବୁ
ଗପ କବିତା ବା ଉପନ୍ୟାସ
ପୁଣି କେତେ ଶବ୍ଦର ବିନ୍ୟାସ ।
ଯିଏ ପ୍ରଶ୍ନ କରେ
ତର୍କ କରେ
ବିଜ୍ଞାନ ର ସାଗରରେ
ବୁଡ଼ ବି ଲଗାଏ ।
ମୁଁ ବି ହେଇପାରେ
ଶକୁନ୍ତଳା ଦେବୀ
ମ୍ୟାରୀ କ୍ୟୁରି
ବା ରୁପା ମିଶ୍ର ।
ମୁଁ କେବଳ ଶରୀର ନୁହେଁ
ନା ଏକ ଯୌନତାର ମୂର୍ତ୍ତି
ନୁହେଁ ଏକ ଗର୍ଭାଶୟ
ନା ମୁଁ ଦେବୀ ଦାସୀ ବା ଶକ୍ତି ।
ମୋର ଅସ୍ତିତ୍ବ
ସିମୀତ ନୁହେଁ
ମୋ ଶରୀରରେ
ଏକ ଅସିମିତ ସମ୍ଭାବନା ସହ
ମୁଁ ନାରୀ
ଠିକ ତୁମ ପରି
ମଣିଷ ଟିଏ ।
ରାଜବାଳା