Bidyutprabha Gantayat

Inspirational


3.3  

Bidyutprabha Gantayat

Inspirational


ଇନ୍ଦ୍ରାବତୀର ତୀରେ

ଇନ୍ଦ୍ରାବତୀର ତୀରେ

2 mins 13.9K 2 mins 13.9K

 କିଏ ଜାଣେ କେବେ କେଉଁ

ପୂର୍ବଜ ମୋହର

ଆସିଥିଲେ ତୋ କୂଳର

ଉର୍ବର ଜମିକୁ

ଜୀବନ ଜୀବିକା ପାଇଁ

ରହିଗଲେ ବସିଗଲେ

ତୋହର ହିଁ ହୋଇ।

ସେହି ଦିନୁ କେତେ ପୀଢି

ତୋ ଦେହରେ ଗଲେଣି ଯେ ବହି

ଜୁଇର ପାଉଁଶ ଓ ଚିତାଭସ୍ମ ହୋଇ

ତ୍ୟାଗ, ପ୍ରେମ, ବୀରତ୍ବର

ଗାଥା ଗଉରବ

କେତେ ବୀର

ଧୁରନ୍ଧର ପୁରୁଷ ପୁଙ୍ଗବ l

କେଉଁ କାଳୁ କେତେ ନାରୀ

ମୋ'ମା' ଓ ଅନେକ ତା'ପରି

ମମତା ର ମଧୁସିକ୍ତା

ମାଟିର ଇଶ୍ବରୀ

ତୋ'ଶୀତଳ ଜଳଧି ରେ

ଲଭିଛନ୍ତି ମୋକ୍ଷ

କରିଛନ୍ତି ଜୀବନ କୁ ଚରିତାର୍ଥ

ଲଙ୍ଘିଛନ୍ତି ବୈତରଣୀ ତୀର୍ଥ।

ସେମାନଙ୍କ ମୁହଁ ଦିଶେ

ତୋ'ବକ୍ଷର ଜଳ ଦର୍ପଣ ରେ

ସେମାନଙ୍କ ଟୁପ୍ ଟାପ୍ କଥାଶୁଭେ

ଆଷାଢ଼ ର ବଢିଲା ସୁଅରେ।

ସେହି ନାରୀ ଙ୍କର ଅକୁହା

ମନ ଗହନର କଥା

ଜୀବନ ଜଂଜାଳ ଗାଥା

ବିଷାଦ ହରଷ

ଅଜସ୍ର ଦେହ ନିଗିଡା ସ୍ବେଦ ଅଶ୍ରୁ

ରକ୍ତ ରାଜୋଃ ପ୍ରାଣର ନିର୍ଯ୍ୟାସ

ତୋ'ଜଳେ ଉଜେଇଁ ଯାଇ

ପାଲଟିଛି ଅମୃତ କଳସ।

କେତେ ରଙ୍ଗ କାୟା ତୋର

ସଂଧ୍ୟା ର ଅଧରରେ ମୃଦୁ ହସ

ପ୍ରାତଃ କାଳେ ପ୍ରଶାନ୍ତି ର

ଅଲୌକିକ ସୌଭାଗ୍ୟ ବିଳାସ

ରାକାରେ ବିମୁକ୍ତ ବିଧୌତ ଜ୍ୟୋସ୍ନା

କୁହୁକିନୀ ଅମା ଅନ୍ଧାର ରେ

ଉଦାସ ବିରସ।

ଜାଣେନା ମୁଁ କେଉଁ କାଳେ

ଉଦ୍ଗମ ତୋହର

ବକ୍ଷେ ଧରି ମାନବ ସଭ୍ୟତାର

ଅକ୍ଷୟ ସ୍ବାକ୍ଷର

ସେ କାଳୁ ପ୍ରବହମାନା

ଚିରସ୍ରୋତା ଗଙ୍ଗା ସିନ୍ଧୁ

ଝଂଜାବତୀ ସତୀ

ମୋ ନିଜର ଇନ୍ଦ୍ରାବତୀ ।

ଆରାଧ୍ୟା ସୁନ୍ଦରୀ ସ୍ରୋତସ୍ବିନୀ

କେଉଁଠାରେ କୃଶ ପୁଣି

କେଉଁଠି ବିସ୍ତୃତ

ସର୍ବଂସହା ସଲୀଳା ତୁ

ଶ୍ରୀଧରା ଅମୃତ ।

ଆତ୍ମଦାନେ ଅନୁବ୍ରତା

ପୁଣ୍ୟତୋୟା ସରିତ ।

କୃପାଜଳ ସିଂଚିଦିଅ ମାଆ

ମୋର ସୁସୁପ୍ତିରେ ଅବା ଜାଗୃତିରେ

ଅବିରତ ଆକୁଳ ମୁଁ ହେଉଥିବି

ମୋ ହୃଦୟେ ସୁପ୍ତ ଥିବା

ଆଲୋକିତ ପଙ୍କ୍ତି ସନ୍ଧାନ ରେ

ତୋ'କୋଳରେ ପଶୁଥିବି

ବାରମ୍ବାର ଶବଦର ମାୟାରେ ।

ପୋହଳା ଦ୍ବୀପର କେଉଁ

ଭୁଲ ଭୁଲୈୟାରେ ।

ତୋ ଦେହର ମୀନ ମଗରାଦି ଜଳଚର

କୌତୁକରେ ମଜ୍ଜି

ପଶିଯାଉଥିବା ପରି କେଉଁ

ପଥର ଖୋଲ ଓ

ପାତାଳ ପଙ୍କରେ।

ଜନ୍ମିଥିଲି ତୋ କୋଳରେ

ମୁଁ ରହିଥିବି ତୋହର ଶରଣେ

ମୃତ୍ୟୁ ମାଗେ ତୋ'ରି ପାଦେ

ହାରିବିନି ଜୀବନେ ମରଣେ।

*****

ଡ଼.ବିଦ୍ୟୁତପ୍ରଭା ଗନ୍ତାୟତ.


Rate this content
Log in

More oriya poem from Bidyutprabha Gantayat

Similar oriya poem from Inspirational