ଜେଜେମା'ର ଘର
ଜେଜେମା'ର ଘର
ବହୁତ ଦୂରରେ
ଏକଦା ଘରଟିଏ ଥିଲା
ଯେଉଁଠି ମୁଁ
ଅନେକ ଗେଲ ଆଦର ପାଇଥିଲି ।
ସେ ସ୍ତ୍ରୀ ଲୋକଟି ମରି ଗଲାଣି
ସେ ଘରଟା ବି
ନିଛାଟିଆର ଆଁ ଭିତରେ
କେଉଁଠି ହଜି ଯାଇଛି
ଏବେ ସେଠି ସାପ ବସା ।
ବହି ପଢିଲା ବୟସ
ସେତେବେଳେ ମୋର ନ ଥିଲା
ମୁଁ ଖୁବ ଛୋଟ ଥିଲି
ମୋ ରକ୍ତରେ ଥିଲା
ଜୋଛନାର ଶୀତଳତା ।
ବେଳେବେଳେ ମୁଁ ଭାବେ
ଆଉ ଥରେ ସେଠାକୁ
ଯାଇ ପାରନ୍ତି କି !
ଅନ୍ଧ ଜଳା ମାନଙ୍କ ବାଟେ
ଘର ଭିତରକୁ ଉଣ୍ଡି ଚାହାନ୍ତି ।
କିମ୍ବା ଥମ କରି ରହି ଯାଇ ଥିବା
ନିଶ୍ଚଳ ପବନରେ କାନ ଦେଇ ଶୁଣନ୍ତି ।
ନଚେତ ପ୍ରଚଣ୍ଡ ହତାଶାରେ
କିଛି ଅନ୍ଧାରକୁ
ଦୁଇ ହାତ ଅଞ୍ଜୁଳାରେ ଭରି
ନେଇ ଆସନ୍ତି
ଏଠି ମୋ ଶୋଇବା ଘରର
ପଛ ଏରୁଣ୍ଡି ବନ୍ଧ ମୂଳେ
ବିଞ୍ଚି ଦିଅନ୍ତି । ଧକଉ ଥିବା
ପୋଷା କୁକୁରଟା ପରି
ପଡି ରହିବାକୁ ।
ତୁମେ କଣ ବିଶ୍ୱାସ କରିବ ?
ମୁଁ ଏମିତି ଗୋଟେ ଘରେ ରହୁଥିଲି
ଗେଲ ଆଦର ପାଉଥିଲି
ଗର୍ବିତ ବି ହେଉଥିଲି ।
ଆଜି କିନ୍ତୁ ମୁଁ ନିଃସ୍ଵ , ଦିଗହରା
ଅନ୍ୟ ଦୁଆରେ ହାତପାତି ମାଗୁଛି
ଟିକିଏ ସ୍ନେହ
ଟିକିଏ ପ୍ରେମ
କିସ୍ତିରେ , ଅଳ୍ପ ଅଳ୍ପ ।