ସେ.....
ସେ.....
(ସେ, ସବୁଠି ସଦାବେଳେ ଅଛି ତା ସ୍ଥିତି ଅପରିହାର୍ଯ୍ୟ ସୃଷ୍ଟି ସମଗ୍ରରେ, ହେଲେ... କାହିଁକି ସେ ଆଜି ଏମିତି ? କାହାର ଅବିଚାର ଏ' ଲାଗି ଦାୟୀ ??)
ନାରୀ ନୁହେଁ ନିକୃଷ୍ଟ ନିଷ୍ପତ୍ତି, ନିର୍ଦ୍ଧାରଣେ ନିୟତି ନିର୍ଝର
ଝୋବା ଝୋବା ମମତା ଝରଣ, ଝଙ୍କାଝୋରେ ଝରଇ ଝର୍ଝର ।
ସ୍ନେହରେ ତା ସ୍ନାନ କରେ ସିନା, ସମାଜର ସିଦ୍ଧାନ୍ତ ସକଳ
ଆଶାପୂର୍ଣ୍ଣା ଜୀବନ-ଜ୍ୟାମିତି, ଆଧାରର ପ୍ରେକ୍ଷା ଅବିକଳ ।
ନାରୀ, ସୃଷ୍ଟି ଅୟମଆରମ୍ଭ, ପ୍ରୋତ୍ସାହନ ଦାନେ ଅଦ୍ବିତୀୟା
ସ୍ବୟମ୍ଭୁ ତା ସେନେହ ସରିତା, ନର ପ୍ରାଣେ ପର୍ବ ପୂଣ୍ୟତୋୟା ।
ନାରୀ ନିଶ୍ଚେ ନିଷ୍ଠା ନିକେତନୀ, ନିତ୍ୟ ନିଷ୍ପାଦିତା ନିରାଜନ
ନର ନଗ୍ର ନିଧୁବନ ନିଶା, ନିର୍ବିଶଙ୍କା ନୀତି ନିଷେବଣ ।
ନାରୀ ଅବହେଳନଟି ଆଜି, ସୈରିଣୀୟ ଅଶାନ୍ତି ଅଜାଡେ
ଦେବାଟା ହିଁ ନାରୀ ପରିଭାଷା, ନେବା କ୍ଷେତ୍ରେ ରୁହେ ଜଡ଼ସଡେ ।
ନାରୀ ନବ ମେଘର-ମହ୍ଲାର, ବିସ୍ମୟର ତୀଖ ଆଲିପନା
ଶାନ୍ତିର ସେ ସୁତ୍ର ବୈଜୟନ୍ତୀ, ସ୍ଥିରଚିତ୍ତ ଦିବ୍ୟ କଳପନା ।
ଅନିବାର୍ଯ୍ୟ ଆଶକ୍ତି ଆଟୋପ, ଅବିଚଳା ଧଇର୍ଯ୍ୟ-ଧାରିଣୀ
ସ୍ନେହଦାନେ ସପତ ସାଗର, କର୍ତ୍ତବ୍ୟରେ କବିତା-କାରିଣୀ ।
ସନ୍ଧିସୁତ୍ରେ ଶୁଦ୍ଧ ସମାପିକା, ବନ୍ଧୁତ୍ବରେ ଗିରି ହିମାଳୟ
ବୁଝିବାରେ ସ୍ବତଃ ସମ୍ବରଣ, ଅବୁଝାରେ ଧୂସର ବଳୟ ।
ପ୍ରତିଶୋଧେ ପାର୍ବତୀ ପ୍ରତିଭୂ, ଶକତିରେ ଶକ୍ତିଙ୍କର ସଖୀ
ଭାବନାରେ ବିହ୍ବଳା ତଟିନୀ, ପ୍ରତୀକ୍ଷାରେ ସଜ ନିରିମାଖୀ ।
ପ୍ରୋତ୍ସାହନେ ପ୍ରକାଣ୍ଡ ପଣ୍ଡିତ, ଧୈର୍ଯ୍ୟରଜ୍ଜୁ ଧରି କଉଶଳେ
ହିଂସାରେ ସେ ଭେଦଇ କବଚ, କୋପାଧାରେ ଦଶଦିଶ ଟାଳେ ।
ସଲ୍ଲଜରେ ଶକତି ଭୁଲଇ, ନିର୍ଲଜରେ ନୃମୁଣ୍ଡମାଳିନୀ
ଉଚ୍ଚାଟରେ ସାଜେ ଉଲ୍କାମୟୀ, ଶୁଦ୍ଧତାରେ ବନ-କଲ୍ଲୋଳିନୀ ।
ତା' ସ୍ନେହରେ ଦେବତା ବିହରେ, ଜିଦିରେ ତା ଯମ ଯାଏ ହାରି
ବୈଚିତ୍ରର ବିଭା ବୈଜୟନ୍ତୀ, ଦର୍ଶନକୁ ଦିଶା ଦିଏ ନାରୀ ।
ହୀନମନ୍ୟ ମନୁଷ୍ୟ ମତରେ, ମନସ୍ବିନୀ ମାନେନାହିଁ ହାର
ଦୟାଦାନେ ଦିଗମ୍ବରୀ ସାଜେ, କ୍ଷମାକ୍ଷରେ ସେ କ୍ଷୀରସାଗର ।
ନାନା ମୁନୀ ନାନା ମତାମତେ, ନାରୀ ମାନ ମାନିଛନ୍ତି ମାପି
ସେ ମାତୃତ୍ବ ମୁକୁଳା ମହାର୍ଘ, ତେଣୁ ଗରୀୟସୀ ସ୍ବର୍ଗାଦପି ।
ସଂସାରର ସର୍ବ ସୃଷ୍ଟି ସୂତ୍ରେ, ନାରୀ ଅଟେ ପରମ ପାବନୀ
ପୁରୁଷଟି ଯହିଁ ବିବରଣୀ, ନାରୀ ବିଭା ବୈଭବୀ ଅବନୀ ।
ହେ ଜଗତ ଜରାୟୁ ଧାରିଣୀ ! ମୋ ଲେଖନୀ ନମେ କୋଟିବାର
ଛଳଛଳ ଛବିଳର ଛଟା, ଜୟକାର ତୁମ ଅଧିକାର ।
***
( ଆଗରୁ ପୋଷ୍ଟ କରିଛି ଆଉଥରେ ନୂଆ ସାଜରେ ଆପଣଙ୍କ ପାଇଁ )