ରଥଯାତ୍ରା
ରଥଯାତ୍ରା
ଚକା ଆଖିଆ ହେ ପତିତ ପାବନ
ସୁନ୍ଦର ତୁମ ଟାହିଆ ବେଶ
ହେ ଲିଳାମୟ ତୁମେ ନଟ ନାଗର
ତୁମ ଅପେକ୍ଷା ରେ ନନ୍ଦିଘୋଷ ।
ଆଷାଢ଼ ମାସର ଶୁକ୍ଳ ପକ୍ଷ ଆଜି
ପୁଣି ପବିତ୍ର ଦ୍ୱିତୀୟା ତିଥି
ଶ୍ରୀମନ୍ଦିର ଛାଡି ମାଉସୀ ମା ଘରେ
ତୁମେ ନଅ ଦିନ ର ଅତିଥି ।
ଭାଇ ଭଉଣୀଙ୍କୁ ସେ ସାଙ୍ଗରେ ଘେନି
କରିବ ତୁମେ ବଡ ଯାତରା
ଶ୍ରୀମନ୍ଦିରେ ପୁଣି ଲକ୍ଷ୍ମୀ ମହାରାଣୀ
ଖୋଲନ୍ତି ଅଭିମାନ ପସରା ।
ବଡଭାଇ ତାଙ୍କ ତାଳଧ୍ଵଜେ ବସି
କରୁଛନ୍ତି ସେ କେତେ ଆଳାପ
ସୁଭଦ୍ରା ମାଆ ପୁଣି ଦେବଦଳନ ରେ
କେଡେ ସୁନ୍ଦର ତାଙ୍କରି ରୂପ ।
ପଛେ ପଛେ ପୁଣି ପହଣ୍ଡି ବିଜେ
ଝୁଲୁଛନ୍ତି ହେ ଶ୍ରୀଜଗନ୍ନାଥ
ନାଚୁଛନ୍ତି ଦେଖ ନର୍ତ୍ତକୀ ମେଳରେ
ନାହିଁ ବଡଦାଣ୍ଡରେ ଭକତ ।
ବଡ ଦାଣ୍ତ ଆଜି ଖାଲି ପଡି ଅଛି
ନାହିଁ ତୋହର ଭକତ ମେଳ
ଚାହିଁ ରହିଅଛି ଅଧମ ତୋ ବାଟ
ସରିବ କେବେ କରୋନା କାଳ ।
ଆସିଛି ସେ ଆଜି ନନ୍ଦିଘୋଷ ଚଢି
ପଚାରିବା ଯାଇ ଚକା ଆଖିକୁ,
ନିଆଁ ଯେ ଲିଭୁନି ମଶାଣି ଘାଟରୁ
ପତିତ ପାବନ କେଉଁ କୁଳକୁ ।
ସ୍ୱର୍ଗଦ୍ୱାରେ ପରା ଜାଗା ନାହିଁ ବୋଲି
କେତେ କେତେ ପୁଣି ନୁଆ ନିୟମ
କେମିତି ରହିଛୁ ସେ ବଡ ଦେଉଳେ
ବଡ ଦାଣ୍ଡେ ପୁଣି ତୁହି ଅଧମ ।
ଅଣସର ପରେ ପ୍ରଭୁ ମୋ ଆସିଛ
ତେବେ ଦେହେ ତୁମ କେତେ ବ୍ୟାଧି
ତୁମେ ଯଦି ପ୍ରଭୁ ସୁରକ୍ଷିତ ଅଛ
ଲୋଡା କାହିଁକି ଏତେ ଔଷଧୀ ।
କଥା ଦେଇଥିଲେ ଗୁଣ୍ଡିଚା ମାଆକୁ
ବରଷକେ ତୁମେ ଥରେ ଯିବ
ଭକତ ଭାବରେ ବନ୍ଧା ତୁମେ ପ୍ରଭୁ
ଥରେ ଭକତ ଡାକ ଶୁଣିବ ।
ଘରେ ନାହିଁ ମୋର ବାସନ କୁସନ
ନାହିଁ ମୋର ପୁଣି ଗଡୁ
ରଥେ ବିଜେ ତୋର ଛେରା ଲାଗୁ ଥାଉ
ରାଜା ହସ୍ତେ ସୁନା ଝାଡୁ ।
ଗଡୁଛି ସେ ରଥ ବଡ ଦାଣ୍ଡରେ
ଯାଉଛି ମାଉସି ଘର
ପୋଡପିଠା ଖଣ୍ଡେ ଖାଇବା ପାଇଁ
ନଟ ରସିକ ନାଗର ।
ଦେଖ ରଥ ଗଡୁଛି ବଡଦାଣ୍ଡରେ
ମାଉସୀର ଘର ଆଡେ
ମହାପ୍ରଭୁ ମୋର ମଉନ ବସିଛି
ମୁଁ ଖେଚୁଡି ଭୋଗ ବାଢେ ।
ଆସନ୍ତା ବରଷ ଆସିଲା ବେଳକୁ
ପଞ୍ଚମ ଦୁଆରକୁ ଖୋଲିବ
ବଡଦାଣ୍ଡ ରେ ଯେ ଭକତ ମେଳରେ
ଏ ଅଧମ ବି ହାତ ଯୋଡିବ ।