STORYMIRROR

Pritipriya Mohanty

Inspirational

4  

Pritipriya Mohanty

Inspirational

ଚିର ବନ୍ଦନୀୟା ମାତା

ଚିର ବନ୍ଦନୀୟା ମାତା

2 mins
27.2K



ପ୍ରୀତିପ୍ରିୟା ମହାନ୍ତି


ମା' ବୋଲି ଡାକଇ କିଏ

କେ ଡାକଇ ମାମା,

କେ ଡାକଇ ବୋଉ ପୁଣି

କେ ଡାକଇ ଆମ୍ମା।



ସମ୍ବୋଧନ କର ପଛେ

ଯେ ଯେତେ ପ୍ରକାରେ,

ମାଆ ହିଁ ତ ମା' କେବଳ

ସବୁରି ଅର୍ଥରେ।



ପଶୁ,ପକ୍ଷୀ,ସରୀସୃପ

ହେଉ ଛୁଆ ମୂଷା,

ମାଆ ସ୍ନେହ ବୁଝିବାକୁ

ଲୋଡନ୍ତିନି ଭାଷା,




ସବୁ ଜାତି ମଧ୍ୟେ ମାଆ

ଅଟେ ବିଦ୍ୟମାନ।

ନର ହେଉ ଅବା ସିଏ

ହେଉ କୀଟ ସାନ।



ପିମ୍ପୁଡି ଠୁ ହାତି ଯାଏଁ

ଅଛି ଯେତେ ଜୀବ,

ମାଆ ବିନା କା' କଳ୍ପନା

ନୁହଁଇ ସମ୍ଭବ।



ସାରା ସଂସାରରେ କେହି

ନୁହେଁ ମାଆ ସରି,

ମାଆ ସ୍ନେହ ଦେଖି ମଥା

ନୁଆଁଏ ବି ଅରି।



ଯେତେ ପାର ଅଭିଧାନୁ

ଶଦ୍ଦ ଖୋଜି ଆଣ,

କମ ପଡିବ ମା' ଗୁଣ

କରିଲେ ବଖାଣ।



କଷ୍ଟ କରି ମାସ ମାସ

ଧରେ ସେ ଗର୍ଭରେ,

ଦୁନିଆ କୁ ଆଣଇ ସେ

ନ ଥାଇ ସ୍ୱାର୍ଥରେ।


ହର୍ଷେ ଦିଏ ତା' ବକ୍ଷରୁ

ପୀୟୂଷର ରସ,

ରଖିଦେବା ସେ ରସର

ନାମ ଆଉ ଯଶ।



ଦୟା, କ୍ଷମା, ଆଦରେ ସେ

ଜୀବନ୍ତ ପ୍ରତୀମା,

ସ୍ନେହ,ପ୍ରେମେ ଭରା ତାର

ମନ ସବୁଜିମା।



ବଳୀୟାନ ସେ, ଯେ ଥାଏ

ମା' ର ଛାୟା ତଳେ,

ତା'ଛଡ଼ା ନ ଥିବ ପାଶେ

କେ' ବିପଦ ବେଳେ



ସତମାର୍ଗେ ଯିବା ପାଇଁ

ଦେଖାଏ ସେ ବାଟ,

ଅମାନିଆ ହେଲେ ପୁଣି

କରଇ ଆକଟ।


ଅସାଧ୍ୟ କୁ ସାଧ୍ୟ କରେ

ଆଶୀର୍ବାଦ ତା'ର,

ପୟରେ ତା' ନିରନ୍ତର

ରହୁ ମନ ମୋର।



ସ୍ନେହ ବୋଳା କଥା ତାର

ମହୋଷଧି ପରି,

ବକ୍ଷରେ ସାଇତା ତା'ର

ପ୍ରେମ ଅସୁମାରୀ।



ଅଭୟ ବାଣୀ ଦିଅଇ

ତା' ପଣତ କାନି,

ଆଶ୍ରିତ ସେ କାନିରେ ଯେ

ହୁଏନା ତା' ହାନି।



କାହା ପ୍ରେମେ ଥାଇପାରେ

ମାୟା ର ଛଳନା,

ମାଆ ଭଲପାଇବାରେ

ନାହିଁ ଯେ କଳନା।



ଗାୟିକା ଟେ ନ ହୋଇବି

ଗାଏ ଲୋରି ଗୀତ,

ମାର୍ଗଦର୍ଶିକା ତ କେବେ

ସାଜେ ପୁଣି ମିତ।



ଅପତ୍ୟ ପାଇଁ ସେ କେବେ

ସେବିକା ଟେ ହୁଏ,

ଦେଶୀ ଚିକିତ୍ସାରେ ପୁଣି

ଚିକିତ୍ସକ ଟିଏ।



କେବେ ଦିଏ ନୀତିବାଣୀ

ଆଦ୍ୟ ଗୁରୁ କେବେ,

ସନ୍ତାନର ହିତ ପାଇଁ

ଯାହା ଲୋଡା ଯେବେ।




ସୁନ୍ଦର, ସୁଶୀଳା ମାଆ

ବିଭୁ ରଚନାରେ,

ତା'ପରି ଦ୍ବିତୀୟ କେହି

ନାହିଁ ଏ ମହିରେ।



ସହଜ ନୁହଁଇ କେବେ

ତା' ଋଣ ସୁଝିବା,

ହେଲେ ଗୁଣ୍ଡୁଚିର କାମ

କରି ତ ପାରିବା।



ଦୁଃଖ ,କଷ୍ଟ ଟିକେ ତାକୁ

ଦେବା ନାହିଁ କେବେ।

ସାହା ହେବା ବାର୍ଦ୍ଧକ୍ୟରେ

ଥିବ ସିଏ ଯେବେ।



ହତାଦାର ନ କରିବା

ଅସହାୟ ବେଳେ,

ଆଉ ଫେରି ନ ପାଇବା

ଗଲେ ସେ ଅକାଳେ।



ଏମିତି କେ ଦୁନିଆରେ

ମଣିଷଟେ ନାହିଁ,

ଜୀବ ଥିବା ଯାଏଁ ଯିଏ

ମା' କୁ ଲୋଡିନାହିଁ।



ସେ ସନ୍ତାନ ଦୁନିଆରେ

ଅଟେ ଭାଗ୍ୟବାନ,

ଯା' ପାଖରେ ରହିଥାଏ

ମା' ସାରା ଜୀବନ।



ଯୁଗେ ଯୁଗେ ଶ୍ରେଷ୍ଠା ପଦ

ତୁମ ଅଧିକାର,

ଚିର ବନ୍ଦନୀୟା ମାତା

ଘେନ ନମସ୍କାର।


రచనకు రేటింగ్ ఇవ్వండి
లాగిన్

Similar oriya poem from Inspirational