ସରପଞ୍ଚ ବୁଦ୍ଧି ଶିଖିଲେ
ସରପଞ୍ଚ ବୁଦ୍ଧି ଶିଖିଲେ
କଙ୍କଣ କୁଙ୍କୁମ ଶଙ୍ଖାକୁ ଲଗାଇ
ଚାଲିଯିବ ଶାଶୂଘର,
ମଙ୍ଗୁଳି ବାବୁଙ୍କ ଅଲିଅଳୀ କନ୍ୟା
ସଘଂମିତ୍ରା ବାହାଘର ।
ସରପଞ୍ଚ ପୁଅ ବାଞ୍ଛାପୁରର ସେ
ସଞ୍ଜୟ ନାମ ତାହାର,
ବିଞ୍ଝାରପୁରର ସଙ୍ଘମିତ୍ରା ସାଥେ
ହୋଇବ ତା' ବାହାଘର ।
ତଣ୍ଟିରେ ଛେପକୁ ଢୋକି ସରପଞ୍ଚ
ମଙ୍ଗୁଳି ବାବୁଙ୍କୁ ଚାହିଁ,
କହିଲେ ସୁବର୍ଣ୍ଣ ଗଣ୍ଠିଲିଏ ଦେଲେ
ବାହାଘର ହେବ ଯାଇ ।
ଦଣ୍ଡେ ଏ କଥାକୁ ସହ୍ୟ ନ କରିଲା
ସାହସୀ ମଙ୍ଗୁଳି ଝିଅ,
କୁଣ୍ଢାଇ କହିଲା ମାଆକୁ ତାହାର
ପାହୁଲାଟାଏ ନ ଦିଅ ।
ଯୌତୁକ ଦେଲେ ମୁଁ ରହିବି ବାଡୁଅ
ବାହା ଜମା ହେବି ନାହିଁ,
ସଚ୍ଚା ମନଟିଏ ନ ଥିବ ଯେଉଁଠି
କେମିତି ପାରିବି ରହି।
ଚିନ୍ତା ଘାରିଦେଲା ମାଆ ବାପାଙ୍କୁ ତା'
ପନ୍ଥା କିଛି ନ ଦିଶଇ,
ମନ୍ଦ କଥାଟାକୁ ବୁଝି ସାରିଥିଲେ
ଅନ୍ଧ ପରି ଲାଗୁଥାଇ ।
କମ୍ପମାନ ହୋଇ ସରପଞ୍ଚ ବାବୁ
ଲମ୍ଫଟାଏ ଦେଲେ ମାରି,
ଆମ୍ବ,ଶିମ୍ବ,ନିମ୍ବ ଦେଲେ ଚଳିବନି
କହିଲେ ସେ ଦମ୍ଭ କରି ।
ମୁସ୍କିଲ ସମୟ ପହଁଞ୍ଚିଲା ଆସି
କାଣିକଉଡିଟେ ନାହିଁ,
ଲାଗିଲା ଏମିତି ପାଦତଳୁ ସତେ
ଭୂସ୍ଖଳନ ଗଲା ହୋଇ ।
ମୁଦ୍ଗର ଟେ ଧରି ଦଉଡି ଆସିଲା
ମଙ୍ଗୁଳି ବାବୁଙ୍କ ପୁଅ,
ତା' ବନ୍ଧୁ ଉଦ୍ଘଟ ରୋକି ନଥିଲେ ଟି
ଛୁଟିଥାନ୍ତା ରକ୍ତ ସୁଅ ।
ମଙ୍ଗୁଳିଙ୍କ ପୁଅ କରୁଥାଏ ରଡି
ଛାଡ଼ ହେ ଉଦ୍ଘଟ ମତେ,
ନିଶ୍ଚୟ ଆଜି ସେ ସରପଞ୍ଚ କୁବ୍ଜେ
ଦେବି ମୁଁ ପ୍ରହାର ସତେ ।
ଜ୍ଞାତିବନ୍ଧୁମାନେ ବହୁତ କଷ୍ଟରେ
ବୁଝାସୁଝା ସବୁ କଲେ,
ପ୍ରକୋଷ୍ଠକୁ ନେଇ ପୁଅର ମସ୍ତକେ
ନ୍ୟାୟ ବୁଦ୍ଧିଟିଏ ଦେଲେ ।
ଦୂରଭାଷ ଯନ୍ତ୍ର ସ୍ପର୍ଶ କଲା ପୁଅ
ଡାକିବ ବୋଲି ପୁଲିସ,
ଉଦ୍ଦେଶ୍ୟ ତାଙ୍କର ବୁଝି ସରପଞ୍ଚ
କଥାରେ କଲା ସାଲିସ ।
ଅଳ୍ପ ଅଳ୍ପ କଥା ସ୍ଫୁରଣ ହୋଇଲା
ଆଗର ଦମ୍ଭ ନ ଥିଲା,
ଉତ୍ପାତ ତାହାର କମିଗଲା ଯେବେ
ପୁଲିସ ନାମ ଶୁଣିଲା ।
ସମ୍ଭ୍ରାନ୍ତ ବଂଶ ତା' ଲୋକହସା ହେବ
ଥାନାକୁ ଯଦି ସେ ଗଲା,
ଯୌତୁକ ନେବାଟା ଅପରାଧ ଜାଣି
ଉତ୍ତମ ବେଭାର କଲା ।
ଧିକ୍କାର କରିଲା ନିଜର ଆତ୍ମାକୁ
ସଦ୍ଭାବ ସେ ଦେଖାଇଲା,
ଲଜ୍ଜା ପାଇବାରୁ ବଞ୍ଚିତ ହୋଇ ସେ
ବାଃ..ବାଃ..ସାଉଁଟିଲା ।
ନାନା ବ୍ୟଞ୍ଜନ ଓ ମତ୍ସ୍ୟ ତରକାରୀ
ଖାଇ ଆନନ୍ଦିତ ହେଲେ,
ଉତ୍ତମ ଭୋଜନ କରି ସର୍ବ ଜନ
ମନେ ଭାରି ଖୁସି ହେଲେ ।
ହସ୍ତଗଣ୍ଠି ପରେ ପୁଷ୍ପମାଳା ଦେଇ
ଝିଅ-ଜ୍ବାଇଁ ବିଦାକଲେ,
ମହାଆନନ୍ଦରେ ହସଖୁସି ମନେ
ଯେ'ଝା ଘରେ ପ୍ରବେଶିଲେ ।
