ତୁମେ ଏମିତି ଜଣେ ଶିକ୍ଷକ
ତୁମେ ଏମିତି ଜଣେ ଶିକ୍ଷକ
ତୁମେ ସେଇ କିମ୍ବଦନ୍ତୀ ପୁରୁଷ
ଯିଏ ମୋ ଗାଁ ବିଦ୍ୟାଳୟ ମାଟିଘରେ
ଭରି ଥିଲ ଶିକ୍ଷା ର ମହକ
ଶିକ୍ଷକତାକୁ କରିଥିଲ ଜୀବନର ବ୍ରତ
ନା ଥିଲା ଛାତ ଘର
ନା ଥିଲା ମଧ୍ୟାହ୍ନ ଭୋଜନ
ନା ଥିଲା ବହି ପତ୍ର ସହଯୋଗ
ହେଲେ ତୁମ ଅନ୍ତରାତ୍ମାର ଡାକ
ତୁମ ପାଦକୁ ଦେଇଥିଲା
ଜାଗରୁକତା ର ଛନ୍ଦ ।
ଶିକ୍ଷା ମହତ୍ତ୍ଵର ଶଙ୍ଖ ନାଦରେ
ପ୍ରତିଟି ଅନ୍ତର ଆନ୍ଦୋଳିତ ହେଉଥିଲା
ସତେ ଯେମିତି -
ତୁମ ପ୍ରେମମୟ କର୍ମ ର କୋଥଳୀରେ
ଶିକ୍ଷାକୁ ଆଗେଇ ନେବାର
ଯାଦୁ ବାଡ଼ି ଥିଲା ।
ତୁମେ ଏମିତି ଶିକ୍ଷକଟିଏ ଥିଲ
ଉତ୍ସାହର ଅମୃତ ଧାରାରେ
କେବଳ ପିଲାଙ୍କୁ ଭିଜାଇ ନଥିଲ
ଗାଁ ର ପ୍ରତ୍ୟେକଟି ମଣିଷ ମନକୁ
ସିକ୍ତ କରି ନିଜ ପିତୃ ଦତ୍ତ ନାମ ହଜାଇ
ତୁମେ ବନିଗଲ ବଡସାର୍
ଆଉ
ତୁମ କର୍ମ ତୁମକୁ
ଜଣେ
କିମ୍ବଦନ୍ତୀ ପୁରୁଷରେ
କଲା ରୂପାନ୍ତର ।
ତୁମେ ଏମିତି ଜଣେ ଶିକ୍ଷକ ଥିଲ
ଛାତ୍ର ଛାତ୍ରୀ ଶିକ୍ଷା ଅଭିଯାନେ
ତୁମେ ଥିଲ ଜଣେ
ଅସାଧାରଣ ମନସ୍ତତ୍ତ୍ଵବିତ୍
ଯାହା ନଖ ଦର୍ପଣରେ
ପ୍ରତିଟି ପରିବାରର ଜୀବନ ସଂହିତା
ଲେଖି ହୋଇଥିଲା ।
ତୁମେ ଏମିତି ଜଣେ ଶିକ୍ଷକ ଥିଲ
ଶିଶୁ ଶିକ୍ଷା ପାଇଁ ଭିକ୍ଷା ମାଗିଥିଲ
ମୁଷ୍ଠି ଚାଉଳରେ ଗୋଷ୍ଠୀ ଉନ୍ନତିର
ସ୍ବପ୍ନ ସଜାଇଥିଲ
ମାଟିର ଚାରିକାନ୍ଥ
ଆଉ ନଡ଼ା ଛପର
ବିଦ୍ୟାଳୟକୁ
ବିଦ୍ୟାମନ୍ଦିର କରି ପାରିଥିଲ ।
ତୁମେ ଏମିତି ଜଣେ ଶିକ୍ଷକ ଥିଲ
ଯିଏ ପିଲାର ମୁହଁ ଦେଖି
ତା ପେଟେ ମାପି ପାରୁଥିଲ
ପ୍ରତ୍ୟେକଟି ପରିବାର
ଅର୍ଥନୀତିର
ହିସାବ ଖାତା
ତୁମ ପାଖେ ଥିଲା ।
ନା ଥିଲା ବହି ପତ୍ରର ସହଯୋଗ
ନା ଥିଲା ମଧ୍ୟାହ୍ନ ଭୋଜନ
ଶିକ୍ଷାର ସାରଥି ହୋଇ
ନିଜର ସଂପୂର୍ଣ୍ଣ ସମୟକୁ
ଅର୍ପଣ କରିଥିଲ-
ଦୁଆର ଦୁଆର ବୁଲି
ଜାଗରଣ ଦୀପ ଜାଳିଥିଲ
ଭଲ ପାଇବାର ସୁଦୃଢ ଚଟାଣ ଉପରେ
ଅନୁଶାସନର ପବିତ୍ର ଛଡ଼ି ରେ
ତୁମେ ଶିକ୍ଷା ର ଗୁଢ଼ମନ୍ତ୍ର
ଦାନ କରିଥିଲ -
ତୁମେ ଏମିତି ଜଣେ ଶିକ୍ଷକ ଥିଲ
ଛାତ୍ର ଛାତ୍ରୀଙ୍କ ଦୁର୍ବଳ ମୁହୂର୍ତ୍ତରେ
ହାତ ତୁମ ତାଙ୍କ କାନ୍ଧେ ରହୁ ଥିଲା
ତୁମ ସେ ଖଦଡ଼ ଧୋତି ଆଉ କାମିଜରେ
ସତେ ଯେମିତି ଏକ
ଅନନ୍ୟ ବ୍ୟକ୍ତିତ୍ୱ
ମୁହଁ ଦେଖାଉ ଥିଲା
ତୁମ କର୍ମ ତୁମ ରାସ୍ତାରେ
ସତେ ଯେମିତି ସନ୍ତୋଷର ଫୁଲ
ସଜାଇ ଦେଉଥିଲା -
ଅସହାୟତାର ସହାୟ ବାଣୀ
ନାହିଁ ନାହିଁ ଭିତରେ
ହଁ ର ଗୁଢ଼ମନ୍ତ୍ର
ତୁମକୁ ବହୁତ ଭଲ ଭାବେ ଜଣାଥିଲା ।
ମୁଷ୍ଟି ଚାଉଳରେ ଗୋଷ୍ଠୀ ଉନ୍ନତି
ଝିଅ ମାନଙ୍କୁ ଶିକ୍ଷାସ୍ରୋତରେ
ମିଶେଇ ଦେବାର ଅଦମ୍ୟ ପ୍ରୟାସ
ଏବେ ବି ମନେ ଅଛି
ଏବେ ବି ମନେ ଅଛି
ଅନୁପସ୍ଥିତିର କାରଣ ଜିଜ୍ଞାସା ପାଇଁ
ଘରେ ଘରେ ଉପସ୍ଥିତ ହେବା
ଏବେ ବି ଜଳ ଜଳ ଦେଖାଯାଏ
ଆଣ୍ଠୁ ଉପରକୁ ଖଦଡ ଧୋତି ପିନ୍ଧା
ସେଇ ଦିବ୍ୟ ମଣିଷ ଟି
ଯାହାର ସକାଳ, ସଂଧ୍ୟା, ରାତି
ସମଗ୍ର ସମୟ ଶିକ୍ଷା ପାଇଁ
ସମର୍ପିତ
ରହିବାର ଦୃଶ୍ୟ ।
ହେ ମୋ ଗାଁର ଶିକ୍ଷା କିମ୍ବଦନ୍ତୀ ପୁରୁଷ
ଆଜି ବି ତୁମେ ମୋ ସ୍ମୃତିରେ
ଜଣେ ଅନନ୍ୟ ବକ୍ତିତ୍ୱ
ଯାହାଙ୍କ ପାଇଁ ମୋ ଭିତରେ
ଶିକ୍ଷା ଦୀପ ଜଳିଥିଲା
ଯାହା ପାଇଁ ନାହିଁ ନାହିଁ ଗୁଞ୍ଜରଣ
ଭେଦ କରି
ହଁ ର ନିର୍ଝରିଣୀ ଟିଏ ବହିଥିଲା
ଯାହା ପାଇଁ ଦୁର୍ବଳ ମନରେ
ନୂତନ ଆଶାର ଦିଗନ୍ତ
ମୁଣ୍ଡ ଟେକିଥିଲା -
ହେ ନମସ୍ୟ -
ଆଜି ତୁମକୁ ଝୁରେ ପ୍ରତିଟି ପାହାଚେ
ଗାଁ ବିଦ୍ୟାଳୟର ପ୍ରତିଟି ଧୂଳିକଣାରେ
ତୁମ ସେଇ ସ୍ୱପ୍ନର ଦୁଆତ
ରୂପରେଖ ନେଇଛି
ହେଲେ
କାହିଁକି କେଜାଣି
କେଉଁ ଏକ
ଅଧୁରା ରାଗିଣୀ
ମନକୁ ବ୍ୟଥିତ କରୁଛି
ଆଉ
ମନ କହୁଛି ତୁମେ ଥାଆନ୍ତ କି !!
