ଏମିତି ନାରୀ ଟେ
ଏମିତି ନାରୀ ଟେ
ଏମିତି ନାରୀଟେ ସିଏ
ଛଳ ଛଳ କଳ କଳ
ନାଦେ ବହୁଥାଏ
ଛଳନାକୁ ନିର୍ବାସନ ଦେଇ
ଏମିତି ନାରୀ ଟେ ସିଏ
ତା ପଥପ୍ରାନ୍ତ କଷଣର
ଦୂଷଣ ଇତିବୃତ୍ତ କୁ
ଛାତିରେ ଚାପି
ସେ ସ୍ବପ୍ନ ଦେଖାଏ
ସବୁଜିମା ଭରେ
ଅନ୍ୟମାନଙ୍କ ସ୍ବପ୍ନ ମହଲରେ
ବାସ୍ତବତାର ଝୋଟି ଆଙ୍କେ
ଆଉ
ଆତ୍ମ ବିଭୋର ହୁଏ ।
ଏମିତି ନାରୀଟିଏ ସେ
ସମସ୍ତଙ୍କ କଥା ବିନା ପ୍ରଶ୍ନେ ଶୁଣେ
ହେଲେ ଭାସି ଯାଏନି
ଅନ୍ୟକୁ ତନଖି ଦେଖିବା ପାଇଁ
ତା ପାଖରେ ସମୟ ଟା ଭାରି ନିଅଣ୍ଟିଆ
ସେ ତ ନିଜ ଭିତରେ ହିଁ
ହଜି ରହିଥାଏ
ତନ୍ନ ତନ୍ନ କରି ଅନ୍ତର୍ଦୃଷ୍ଟି ଝରକାରେ
ଆତ୍ମ ଚେତନାକୁ ପରଖୁ ଥାଏ
ଉଡ଼ି ବୁଲୁଥିବା କଥାସବୁ
ତା ପାଖରେ କିଛି ମୂଲ୍ୟ ରଖନ୍ତିନି ।
ଏମିତି ନାରୀଟିଏ ସିଏ
ସାମର୍ଥ୍ୟ ଓ ସମୟର ସୀମାନ୍ତରେ
କର୍ତ୍ତବ୍ୟ ଅଭିଭାଷଣେ ବିମୁଗ୍ଧ ହୋଇ
କର୍ମର କାଳିରେ
ନିଜ ଭାଗ୍ୟ ଲେଖେ -
ନିରବତା ତାର ଯୋଗ
ବିମୁଗ୍ଧତା ତାର ସୌନ୍ଦର୍ଯ୍ୟ
ସ୍ୱାଭିମାନ ତାର ଗହଣା
ପ୍ରେମ ତାର ପ୍ରେରଣା
ଆପଣା ପରର ସଂଜ୍ଞା
ତା ପାଖେ ସ୍ୱତନ୍ତ୍ର ।
ଏମିତି ନାରୀଟିଏ ସିଏ
ତା ବ୍ୟକ୍ତିତ୍ଵର ଅଗଣାଟା
ସବୁବେଳେ ଉଜ୍ଜ୍ଵଳୁ ଥାଏ
ତା ଚରିତ୍ରର ନୀତିନିଷ୍ଠତା
ତାକୁ ଉପଲବ୍ଧିମୟ କରେ
ନିଜ ସଂଗେ ନିଜର ବାର୍ତ୍ତାଳାପ
ତାକୁ ତାର ଦିଶା ସ୍ପଷ୍ଟ କରାଏ
ସିଏ ସମସ୍ତଙ୍କୁ ଗୋଟା ପଣେ ବୁଝେ
ଥକି ପଡିଥିବା କାନ୍ଧକୁ
ତାହା ହାତ ଆପେ ଆପେ
ଚାଲିଯାଏ
ତା ବିନମ୍ରତା ତାକୁ ଆକର୍ଷଣୀୟ କରେ
ହେଲେ ,
ଅନ୍ୟାୟ କୁ ସେ କେବେ
ଗ୍ରହଣ କରେ ନି
ତା ପାଟି ଖୋଲେ
ତା ପାଦ ଚାଲେ
ସାମର୍ଥ୍ୟର ଚୌହଦୀକୁ ଟିକିଏ ଅନାଇ
ସେ ଆଗକୁ ବଢ଼େ
ଆଉ
ତା ଆତ୍ମ ସମ୍ମାନର
ସୁରକ୍ଷା କବଚ ପିନ୍ଧି
ନିରସ୍ତ୍ର ଅଥଚ ବିଜୟୀ ଯୋଦ୍ଧା ଟେ ଭଳି
ଠିଆ ହୁଏ -
ହାରିବା ଜିତିବା ଭୁଲି
କରିବାର ଅଙ୍ଗୀକାର ବଦ୍ଧତା ଭିତରେ
ସେ ଆଗକୁ ଯାଏ
ତାକୁ କିଏ ବୁଝୁ ବା ନ ବୁଝୁ
ସେ କିନ୍ତୁ ନିଜକୁ ତନଖୁ ଥାଏ
ପ୍ରତି ମୁହୂର୍ତ୍ତରେ ।
ଏମିତି ନାରୀ ଟେ ସିଏ
ନମ୍ର,କମ୍ର, ମମତା ପ୍ଲାବିନୀ
ହେଲେ,
ସେ ଆଖି ଭିତରେ
ସବୁକୁ
ସାମ୍ନା କରିବାର ଦୃଢୋକ୍ତି
ଦାଉ ଦାଉ ଦିଶେ
କୁ-ଦୃଷ୍ଟି ସେ ଆଖିରେ ନିଆଁ ଦେଖେ
ସୁ-ଦୃଷ୍ଟି ଦେଖେ ନମନୀୟତା
ଆଉ
ତାର ବ୍ୟକ୍ତିତ୍ଵରେ
ଆତ୍ମୋପଲବ୍ଧିର ଛିଟା
ତା ମୁଖ ମଣ୍ଡଳରେ
ନିର୍ଲିପ୍ତ ସନ୍ତୋଷ ଚନ୍ଦନର ଛିଟା -
ଦାନ୍ତ ଦେଖେଇ ତାକୁ
ହସିବାକୁ ପଡ଼େନି
ଆତ୍ମିକ ଆନନ୍ଦର ଅନୁପମ ଜ୍ୟୋତିରେ
ତା ମୁଖ ମଣ୍ଡଳ
ସର୍ବଦା ଉଜ୍ଜ୍ବଳୁ ଥାଏ
ଆଉ
ତା ସଙ୍ଗତିରେ ସୁଗତି
ତା ଉପସ୍ଥିତିରେ ସାହସ
ତା କଥାର ମହକ
ତା ଚାରି ପାଖକୁ
ପ୍ରୀତିମୟ କରେ
ହଁ,
ସବୁଠୁ ବଡ଼ କଥା
ସେ ନିଜକୁ କେବେ ଭୁଲେନି ।
