ପଳାଶ ଫୁଲ
ପଳାଶ ଫୁଲ
ଫଗୁଣ ଛାତିରେ ବସନ୍ତ ଚୌହଦୀ
ଲାଲିମାରେ ବିଚ୍ଛୁରିତ
ପଳାଶ ଫୁଲଟି ଦୁଃଖ ତାପ ଭୁଲି
ଆସିଅଛି ଏ ମରତ । ୧ ।
ସୁବାସ ବିହୀନ ସୁଷମାରେ ପୂର୍ଣ୍ଣ
ରୂପ ରଙ୍ଗ ବି ସୁନ୍ଦର
ଧରଣୀ ରାଣୀକୁ ସଜାଇବା କାର୍ଯ୍ୟେ
କେବେ ହୋଇନି ନିଥର । ୨।
ଲାଲିମା ଦର୍ଶନ ମନ ଆକର୍ଷଣ
ନୈସର୍ଗିକ ମାଧୁରିମା
ବାସ୍ନା ବିରହିତ ଦୁଃଖ ଅବିରତ
ଅଭିଶପ୍ତା ମନୋରମା । ୩।
ଧରଣୀ ରାଣୀକୁ ସଜାଇବା କାର୍ଯ୍ଯେ
ବିମୁଖତା ହୀନ ମନ
ପ୍ରଣୟ ବେଦୀର ସୌଭାଗ୍ୟ ସମ୍ଭାର
ଅଭିଶପ୍ତା ବାସହୀନା । ୪ ।
ସୁଗନ୍ଧ ବିହୀନ ରୂପ ଅନୁପମ
ଦେବାଳୟ ଦ୍ଵାର ମନା
ନିୟତି ପ୍ରହାରେ ରକ୍ତ ମନ ସିନା
କର୍ତ୍ତବ୍ୟେ ନୋହେ ବିମନା । ୫ ।
ସ୍ମୃତି ଗୌହଦୀରେ ନିରଳସ ସେବା
ପ୍ରକୃତିର ରୂପ ଭରେ
ରଙ୍ଗ ବିଭବରେ ପତ୍ରହୀନ ଡାଳେ
ବିଭୁ ସୁମରଣା କରେ । ୬ I
ଜୀବନ କି ସତେ ଅଭିଶପ୍ତ ତାର
ବସନ୍ତ ଅକୁହା ସ୍ପର୍ଶେ
ପ୍ରୀତି ଛନ୍ଦା ପୁଣି ପେନ୍ଥା ପେନ୍ଥା ହୋଇ
ଜୀବନ୍ୟାସ ପାଇ ବସେ । ୭ ।
ଅଲୋଡ଼ା ଜୀବନ ରୂପ ଅନୁପମ
ଅଛୁଆଁ ଉଆଁସୀ କନ୍ୟା
ରୂପ ବୈଭବ ତା ଅବଶୋଷ ମଖା
ଅବସାଦ ତା ଗହଣା । ୮ ।
ମାଟିକୁ ପିନ୍ଧାଏ ରକ୍ତମ ମେଖଳା
ଆଭିଜାତ୍ୟ ମୟ ବିଭା
ପ୍ରିୟତମ ବାଟ ରୁଦ୍ଧ ଯେ କବାଟ
ରିକ୍ତ ମିଳନର ଆଭା । ୯ ।
ବର୍ଣ୍ଣ ତରଙ୍ଗରେ ଧରିତ୍ରୀ ଭାସଇ
ନିଃସଙ୍ଗତା ତାର ପ୍ରାପ୍ତି
ଦେବତା ଗଳାରେ ମାଳା ହୋଇଯିବା
ବନ୍ଧିତ ତାର ସେ ତୃପ୍ତି । ୧୦ ।
କରୁଣା ତ ଉଣା ମାଗେନି ପାଉଣା
ଏକା ଏକା ସିଏ ଭାବେ
ଜୀବନ ବିଳାପ ଅସ୍ପଷ୍ଣ ସଂଳାପ
କର୍ମର ମନ୍ତ୍ର ଯେ ରବେ । ୧୧ ।
ଅମାପ ଐଶୂର୍ଯ୍ୟ ବିଧିର ନିର୍ଦ୍ଦେଶ
ନିଃସଙ୍ଗତା ନେଇ ବଂଚ଼େ
ସମୟକୁ ଦିଏ ଗ୍ରହଣୀୟତା ସେ
ଜୀବନ ବିଳାପ ମଞ୍ଚେ । ୧୨ ।
ତ୍ୟାଗ ନିରୁତାରେ ଅପ୍ରାପ୍ୟ ଆଶାରେ
ବିଭୋରେ ଖୁସୀ ପରଶେ
ଦର୍ଶନ ତୃପ୍ତିର ଝଙ୍କାର ତୋଳି ସେ
ନିୟତ ଧରାରେ ଆସେ । ୧୩ ।
ବସନ୍ତ ଆଗମେ ସୁଗମ ଆଗମ
ଜୀବନ ବେଦକୁ ପଢ଼େ
କବି ଲେଖନୀରେ ଶବ୍ଦ ଖଞ୍ଜି ଦେଇ
ଦର୍ଶନ ଦେଉଳ ଗଢ଼େ । ୧୪ ।
ପ୍ରଭୁ ଦାନକୁ ସେ ସ୍ୱୀକାର୍ଯ୍ୟ ଆସରେ
ଅର୍ପଣେ ଆନନ୍ଦ ପାଏ
ସୃଷ୍ଟି ଦୃଷ୍ଟି ଶିଖା ଅନ୍ତରେ ସାଉଁଟି
ପଦପାତେ ଧରା ଛୁଏଁ ।
ସଞ୍ଚିତ ସୁଷମା ଅକୁହା ବେଦନା
ସାମର୍ଥ୍ୟ ଦାନେ ଝଟକେ
ପ୍ରତ୍ୟାଶା କୋଥଳୀ ମନରୁ ଉତ୍ତାରି
ଫୁଟୁ ଥାଏ ଋତୁ ଡାକେ ।
