ପ୍ରଶ୍ନୋତ୍ତର ଅର୍ଗଳୀରେ ମୁଁ
ପ୍ରଶ୍ନୋତ୍ତର ଅର୍ଗଳୀରେ ମୁଁ
ଆକାଶର ପ୍ରଶସ୍ତ ଛାତିରେ
ତାରାଫୁଲ ମାନଙ୍କର ଭିଡ଼
ତା ମଧ୍ୟରେ ଚନ୍ଦ୍ରମାର
ଧରଣୀ ଧୌତ କିରଣ ତଳେ
ମୋର ଅବଶ ଦେହଟା
ଆଉ ମୁଁ -
ଆଉ ମୁଁ ଜୀବନର ଶେଷ ପ୍ରହରରେ
ପ୍ରଶ୍ନିଳ ମଣିଷ ଟିଏ
ନିଜ ପାଖେ ଖୋଜୁ ଅଛି
ନିଜର ପ୍ରଶ୍ନର ଉତ୍ତର ।
ମୁଁ ପ୍ରଶ୍ନିଳ ମଣିଷଟିଏ
ନିଜର ଫଳନ୍ତି ସମୟକୁ
ବାଣ୍ଟି ହେଲା ପରେ
ଅପାରଗ ମୋହର ଟା
କେମିତି ବାଜିଗଲା ଭାବୁଛି
ହେଲେ ଶୁଣ -
ଶରୀର ର ଅପାରଗତା
ମନକୁ ଜମା ବି
ଅପାରଗ କରିନି
ଥରେ ଆସି ମୋ ପାଖରେ ବସ ତ
ଦେଖିବ,
ମୋ ଅନୁଭବ ପୋଟଳୀର
ଜୀବନ୍ତ କାହାଣୀ ମାନେ
ତୁମ ସଂଘର୍ଷମୟ ଯାତ୍ରାର
ଦିଶା ଦର୍ଶନର
ମନ୍ତ୍ର ଉଚ୍ଚାରିବେ -
ଥରେ ଆସି ବସି ଦେଖ ତ ....
ଅନ୍ୟ ମାନଙ୍କୁ ବୁଝୁ ବୁଝୁ
ନିଜକୁ ଭୁଲି ଯିବାର ମୋହ
ନିଜକୁ ଅଗ୍ରାଧିକାର ନ ଦେବାର ଅଭ୍ୟାସ
ସବୁ କଣ ଭୁଲ୍ ଥିଲା ?
ଅନ୍ୟ ମାନଙ୍କ ସ୍ୱପ୍ନକୁ
ସାକାର କରୁ କରୁ
ନିଜ ସ୍ଵପ୍ନକୁ ପଛକୁ ପକାଇ ଦେବା
କଣ
ସତରେ ଭୁଲ୍ ଥିଲା ?
ହେଲେ
ସ୍ବପ୍ନ ସାକାର
ଚେହେରା ମାନଙ୍କର ଆଭା
ଏବେ ବି ହୃଦୟ ତନ୍ତ୍ରୀରେ
ମୃଦୁ ସଂଗୀତ ତୋଳେ
ଆଉ ମୋ ଅବଶ ଶରୀରଟା
ବିବଶତା ତ୍ୟାଗ କରି
ସତେ ଯେମିତି କୁରୁଳି ଉଠେ ।
ନିଜର ଭୋକ କୁ ଲୁଚାଇ
କାହା ମୁହଁରେ ଆହାର
ଭରିଦେବାଟା
ସତରେ କଣ ଭୁଲ୍ ଥିଲା ?
ହେଲେ,
କାହା ଜଠର ଅଗ୍ନି
ନିର୍ବାପିତ ହୋଇ
ଯେତେବେଳେ ମୁହଁରେ
ସନ୍ତୋଷ ଉକୁଟୁ ଥିଲା
ସେ ସନ୍ତୋଷ ଦେହ ମନକୁ
ଯେମିତି ମହାକାଇ ଦେଉ ଥିଲା
ଆଉ
ସେ ମହକରେ
ଏବେ ବି ବାସ୍ନାୟିତ
ମୋର ଆତ୍ମାର ଅଳିନ୍ଦ ।
କିନ୍ତୁ କେମିତି ବୁଝାଇବି
ଏହି ସବୁ କାମରେ
ମିଳୁଥିଲା
ପ୍ରଚଣ୍ଡ ଆତ୍ମ ସନ୍ତୋଷ
ଯାହା ଆଜି ବି
ମନରେ
ଆନନ୍ଦ ମାଖି
ଶକ୍ତି ସଂଚ଼ାର କରନ୍ତି
ହସ ଉକୁଟା ମୁହଁ ମାନେ
ମନରେ ମାଖି ଦିଅନ୍ତି
ମହ ମହ ଚନ୍ଦନ ପ୍ରଲେପ ।
ଜୀବନରେ ହାରିବା ଜିତିବାର
ହିସାବ ନକରି
କେବଳ ପ୍ରୟାସ କରିବାଟା
କଣ ଭୁଲ୍ ଥିଲା ?
ହେଲେ,
କେମିତି ବୁଝାଇବି
କର୍ମର ପୂଜାରେ
କର୍ତ୍ତବ୍ୟର ଫୁଲ ଚ଼ଢ଼ାଇ
ନିର୍ମୋହ ନୈବେଦ୍ୟ ଅର୍ପଣ କରି
ଆତ୍ମା ଅର୍ଗଳୀରେ
ଶାନ୍ତି କପୋତର ପବିତ୍ର ଉଡାଣ ର କଥା ।
ଆଜି ଶରୀର ଅବଶ
ମନର ଗତିମଧ୍ୟ ଧିମା ...
ହେଲେ,
ଅପେକ୍ଷା କରିଛି
ସେଇ ଶାଶ୍ଵତ ଆଉ
ଚିରନ୍ତନ ସତ୍ୟକୁ
କେବେ ସେ ଆସିବ
ଆଉ ,
ଜୀବନର ଯବନିକା
ଟାଣି ଦେଇ ଯିବ ।
