ଚିମୁଟାଏ ଶାନ୍ତି
ଚିମୁଟାଏ ଶାନ୍ତି
ଉର୍ବର ଭୂମିରେ
ଅନାବନା
ଘାସ ମାନଙ୍କର ଭିଡ଼
ସାର ଶୋଷି ଅସାର କଲେଣି
ହୃଦୟ ଫାଟି ଆଁ କରିଲେଣି
ଚିମୁଟାଏ ଶାନ୍ତି ଖୋଜି ପାଇବୁ କେଉଁଠୁ ?
ବିବେକ ରୂପି ଗୋମାତାଙ୍କୁ
ଜଲାଲଙ୍କୁ ବିକି ସାରିଲୁଣି
ସେମାନେ ସତେ ଯେମିତି
ପଡ଼ିଆରେ ହାଡ଼ କଙ୍କାଳ ଦେଖାଇ
ଆତ୍ମ ବିସର୍ଜନ କଥା କହୁଛନ୍ତି
ବସ୍ତା ବସ୍ତା ଦୀର୍ଘଶ୍ଵାସ
ଅସରନ୍ତି ଲୁହ ଦେଖାଉ
ଖତେଇ ହେଉଛନ୍ତି-
ଆଉ ତୁ -
ଚିମୁଟାଏ ଶାନ୍ତି ପାଇଁ
ଆଉଟୁ ପାଉଟୁ
ହେଲେ,
ଶାନ୍ତି ପାଇବୁ କେଉଁଠୁ ?
ମନ ମନ୍ଦିରର ଅନ୍ଧାରି କୋଣର
ଆତ୍ମା ଅଣନିଃଶ୍ୱାସୀ
ପରମାତ୍ମାଙ୍କୁ ଧ୍ୟାନ କରିବାର
ଯାଗାଟିଏ ବା କାହିଁ-
ଏଠି ଖାଲି କଣ୍ଟା ଝଣ୍ଟା ପୂର୍ଣ୍ଣ
ଅରମା ଜଙ୍ଗଲ
ଚିମୁଟାଏ ଶାନ୍ତି ଖୋଜି ପାଇବୁ କେଉଁଠୁ ?
ଅଳନ୍ଧୁ ଲଗା ମନ୍ଦିରରେ
ଅସ୍ପଷ୍ଟ ସେ ମୂର୍ତ୍ତି
ଦେହ ସାରା ପରସ୍ତ ପରସ୍ତ ଧୂଳି
କିଏ କରିବ ତାର ସଂସ୍କାର
କଣ୍ଟା ଝଣ୍ଟା ଅରମାକୁ ନିର୍ବାସନ ଦେଇ
କିଏ ସୃଷ୍ଟି କରିବ ପବିତ୍ର ଭୂମିଟେ
କିଏ ପରସ୍ତ ପରସ୍ତ ମଇଳା ଆଡେଇ
ପୁଣି ପ୍ରାଣ ସଂସ୍କାର କରିବ
ଏଇ ମୂର୍ତ୍ତି ଦେହରେ ??
ତାର ଉତ୍ତର ନ ଖୋଜି
ଚିମୁଟାଏ ଶାନ୍ତି ଖୋଜିଲେ
ପାଇବୁ କେଉଁଠୁ !!!
