STORYMIRROR

Sarojini Mishra

Inspirational

4  

Sarojini Mishra

Inspirational

ମୋର କର୍ତ୍ତବ୍ୟ ତୁମର ଦାୟୀତ୍ୱ

ମୋର କର୍ତ୍ତବ୍ୟ ତୁମର ଦାୟୀତ୍ୱ

2 mins
11

 କର୍ତ୍ତବ୍ୟ.....
ସେତ ନିଜ ଅଙ୍ଗୀକାର ବଦ୍ଧତାର
ବିକଶିତ ଆଉ ସୁବାସିତ କର୍ମ ଟିଏ
ଯିଏ ନିଜ ଭିତରେ ଆଳାପ କରେ
ବିବେକର ସାଥେ କର୍ତ୍ତବ୍ୟ ପାଇଁ
ନା ନିର୍ଦ୍ଦେଶ ନାମା କାମ କରେ
ନା, ଅଙ୍ଗୁଳି ନିର୍ଦ୍ଦେଶ
ସିଏତ ନିଜ ଭିତରେ ନିଜେ ସ୍ୱଚ୍ଛନ୍ଦ
ନିଜ ଭିତରେ ନିଜେ ଅମୃତମୟ ସ୍ରୋତଟିଏ
ଯାହାର ସ୍ପର୍ଶରେ
ସନ୍ତୋଷର ଫୁଲମାନେ ଆତ୍ମା ମହକାନ୍ତି
ଚେତନାର ପତରେ ପତରେ
ଲେଖିହୁଏ ବ୍ୟକ୍ତିତ୍ୱର
ଶକ୍ତ ଶିରୋନାମା ।

ଦାୟୀତ୍ୱ
ସିଏ ପ୍ରଦତ୍ତ ନଥିପତ୍ରର
ପୃଷ୍ଠା ମଣ୍ଡୁଥିବା ଲିଖିତ ବା ଅଲିଖିତ
ଛୋଟ ଶିରୋନାମା
ଯିଏ ନିର୍ଦ୍ଦେଶିକାର ଦେହଳୀରେ
ପଥ ପହଁରେ
ବେଳେ ବେଳେ ଗୁରୁ ଲଘୁ ଦାୟୀତ୍ୱକୁ ନେଇ
ମଣିଷ ବିବ୍ରତ ହୁଏ
ହେଲେ, ଉତ୍ତର ମାଗୁ ବା ନ ମାଗୁ
ଦାୟୀତ୍ୱକୁ ତୁଲାଇ ପାରିଲେ
ସନ୍ତୋଷର ଫୁଲ ଫୁଟିଯାଏ
ଆତ୍ମ ବିଶ୍ୱାସର ନିଗୁଢ଼ ଗଣ୍ଠିଟି
ଫଡ୍ ଫଡ୍ ଉଡୁଥିବା ମନଟିକୁ ମଧ୍ଯ
ଆୟତ୍ତ କରିନିଏ
ଆଉ ଆନନ୍ଦ ର ମଧୁର ଲହରୀ
ମନ ମାନସରେ ଖୋଦିତ କରିଦିଏ
ଆଗକୁ ବଢିବାର ଭରସାସିକ୍ତ ମୂର୍ତ୍ତିଟିଏ ।

ଏତେ କଥା ଆଉ କହୁନି
କର୍ତ୍ତବ୍ୟ ଓ ଦାୟୀତ୍ୱର
ଛୋଟ ଚିତ୍ରଟି ସମର୍ପିବା ପରେ
କହୁଛି ଶୁଣ -
"ତୁମକୁ ବିଶ୍ୱାସ କରିବା ମୋର କର୍ତ୍ତବ୍ୟ
ହେଲେ ସେଇ ବିଶ୍ୱାସକୁ ବଂଚାଇ ରଖିବା
ତୁମର ଦାୟୀତ୍ୱ
ତୁମକୁ ଭରସା କରିବା ମୋର ନୈତିକ କର୍ତ୍ତବ୍ୟ ଆଉ
ସେଇ ଭରସାକୁ ପିରାମିଡ ବନାଇବା
ତୁମର ଦାୟୀତ୍ୱ
ହଁ ସମାଜରେ ବୁଜୁଳା ବୁଜୁଳା ବ୍ୟଥା ଭିତରେ
ଶହ ଶହ ବାଣୀ ଓ ଠାଣି ମଧ୍ୟରେ
ରୋଜଗାର କରିବା ମୋର କର୍ତ୍ତବ୍ୟ
ଆଉ , ମୋ ଅସରା ଲୁହର
ଉଷ୍ମତାକୁ ବୁଝି
ହାତ ଗଣତି ଦୁଇ ଚାରି ଜଣଙ୍କୁ
ଚଳେଇ ନେବା ତୁମର ଦାୟୀତ୍ୱ ।

ତୁମର ଆବେଗିକ ଛନ୍ଦକୁ ବୁଝିବା
ମୋର କର୍ତ୍ତବ୍ୟ
ଆଉ ତୁମ ଆବେଗର ଶବ୍ଦ ସବୁ
ମୋ ସାମର୍ଥ୍ୟ ଚଉହଦୀର
ବାସ୍ତବତାକୁ ବୁଝିବା ତୁମର ଦାୟୀତ୍ୱ
ତୁମକୁ ସମ୍ମାନ ଦେବା ମୋର କର୍ତ୍ତବ୍ୟ
ହେଲେ ସେଇ ସମ୍ମାନର ମାନ ରଖିବା
ତୁମର ଦାୟୀତ୍ୱ
ତୁମକୁ ସ୍ଵାଧୀନତା ଦେବା ମୋର କର୍ତ୍ତବ୍ୟ
ହେଲେ ସେଇ ସ୍ଵାଧୀନତାର
ସଦୁପଯୋଗ ତୁମର ଦାୟୀତ୍ୱ
ତୁମକୁ ନିର୍ମଳ ପ୍ରେମ ଦେବା
ମୋର କର୍ତ୍ତବ୍ୟ
ହେଲେ ସେଇ ପ୍ରେମକୁ ହୃଦୟଙ୍ଗମ କରି
ପ୍ରେମ ଗଙ୍ଗା ବୁହାଇବା ତୁମର ଦାୟୀତ୍ଵ
ପ୍ରେମ ଗଙ୍ଗା ବୁହାଇବା ତୁମର ଦାୟୀତ୍ୱ ।

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational