STORYMIRROR

Bharatabandhu Biswal

Classics Inspirational

3  

Bharatabandhu Biswal

Classics Inspirational

ରକ୍ତ ବଳିଦାନ ନ ଯାଉ ବୃଥା

ରକ୍ତ ବଳିଦାନ ନ ଯାଉ ବୃଥା

1 min
14


ପୁଣ୍ଯ ଯଜ୍ଞପୁର ବିରଜା କଟକ

ତୀର୍ଥ ବୈତରଣୀ ସାନିଧ୍ୟ ପାଇଁ

ଓହ୍ଲାଇ ଆସନ୍ତି ସରଗୁ ଦେବତା

ମର୍ତ୍ତ୍ୟେ ରଜଶୂନ୍ଯ ହୁଅଇ ଦେହୀ ।

ଲଭି ମାତୃକୃପା ରାଜନ ଯଯାତି

ଦିଗବିଜୟୀ ବୀର ଅରଜି ଖ୍ଯାତି

ହିମାଲୟ ଠାରୁ କୁମାରିକା ଯାଏ

ପାରିଥିଲେ ଶତ୍ରୁ ଗଡକୁ ଜିତି ।

ସ୍ବର୍ଣିମ ଅକ୍ଷରେ ଅଛି ଲିପିବଦ୍ଧ 

ଜାତି ଇତିହାସ ଗୌରବ ଗାଥା

ପଞ୍ଚ ବକାରର ଉତ୍କର୍ଷେ ଉତ୍କଳ 

ଟେକିଥିଲା ଦିନେ ଉନ୍ନତ ମଥା ।

ଦର୍ଶନ ସାହିତ୍ଯ ଧର୍ମ ସୁସଂସ୍କୃତି

ଆଦର୍ଶ ଉଜ୍ଜ୍ବଳ ତା ପରମ୍ପରା

ମାଟିର ପୁଅ ତା କୁଶଳୀ ସୁଦକ୍ଷ

ଥିଲା ଅଦ୍ବିତୀୟ ଏ ବିଶ୍ବେ ପରା ।

ବୋଇତ ମେଲାଇ ଦରିଆ ବକ୍ଷରେ

ଯାଉଥିଲା ଜାଭା ବାଲି ବୋର୍ଣ୍ଣିଅ

ଆଣୁଥିଲା ବୋହି ଅମାପ ସମ୍ପତ୍ତି

ସଶକ୍ତ ଥିଲା ତା ନୌସରବରାହ। 

ନିହାଣ ମୂନରେ ତା ସୁଦକ୍ଷ ଶିଳ୍ପୀ

ଗଢି ଯାଇଅଛି ମୂର୍ତ୍ତି ମନ୍ଦିର 

ଆଶ୍ଚର୍ଯ୍ୟ ଚକିତ ହୁଅନ୍ତି ଦର୍ଶକ 

ଦେଖି ତା ଭାସ୍କର୍ଯ୍ଯ କଳା ସୁନ୍ଦର ।

ବୀର ତା ପାଇକ କ୍ଷଚ୍ରୀ ଖଣ୍ଡାୟତ

ହାତେ ଧନୁ ବର୍ଚ୍ଛା ଖଡଗ ଧରି

ସମ୍ମୁଖ ସମରେ ଶମନ ଛାତିକୁ

ପାରିଥିଲେ ଚିରି ଦର୍ପ ବିଦାରି ।

ବକ୍ସି ଜଗବନ୍ଧୁ ଜୟୀ ରାଜଗୁରୁ

ଏଇ ମାଟି ପୁଅ ଶୃତି ବିଶ୍ୱାଳ 

ବୈଦେଶିକ ଶତ୍ରୁ ଇଂରେଜ ବିରୁଦ୍ଧେ

ଦେଇଥିଲେ ବଜ୍ର ରଣ ହୁଙ୍କାର ।

ବାଲିଆ ସାମନ୍ତ ବୀର ରାମକୃଷ୍ଣ 

ସାମନ୍ତସିଂହାର ସହିତ ମିଳି

ପ୍ରଗଣା ବରୁଆଁ ବାଉନ ମୌଜାରେ

ରହିଥିଲେ ପ୍ରଜାପାଳକ ମେଳି ।

ପାଇକ ବିଦ୍ରୋହ ମୁକ୍ତି ଆନ୍ଦୋଳନେ

ପ୍ରଜ୍ବଳିତ କରି ବିପ୍ଳବ ବହ୍ନି

ସକ୍ରିୟ କରିଲେ ପ୍ରଜା ସାଧାରଣେ

ରାଜସ୍ବ ହୋଇଲା ପ୍ରଭୂତ ହାନୀ ।

ଡରି ସେ ନଥିଲେ ଦେଖି ନାଲି ଆଖି

ଗୋରା ସାହେବଙ୍କ ଭୟ ଧମକେ

ନୁଆଁଇ ନଥିଲେ ମୁଣ୍ଡ ପାଦତଳେ

ଭୋଗି କାରାବାସେ ଝୁଲି ବି ବୃକ୍ଷେ ।

ହୀନ ଷଡଯନ୍ତ୍ର ଫନ୍ଦି ଫିସାଦିର

କଳା କାରନାମା କଲମ ମାନେ

ହୋଇ ନାହିଁ ଲେଖା କାଗଜ ପୃଷ୍ଠାରେ

ଉଦବେଳେ ହୃଦ୍ ପ୍ରତିଟି କ୍ଷଣେ ।

ରହିଛି ମିଳନ ଚାନ୍ଦିନୀ ଚଉଁରା

ଭଗ୍ନ ଚଉପାଢୀ ଐତିହ୍ଯ ସ୍ମୃତି

ଉଚ୍ଚଳବିହାରୀ ସାମନ୍ତ ଚୌଧୂରୀ

ନାହିଁ ଛତ୍ରପତି ପୂରୁବ ଖ୍ଯାତି ।

ପୁକାରେ ନିରବରେ ବିଶାଳ ପ୍ରାନ୍ତର

ପୂର୍ବସୂରୀଗଣ ଅମର ଆତ୍ମା

ଜାଗ ବୀର ରକ୍ତ ସନ୍ତାନସନ୍ତତି

ମହକି ଉଠୁ ମୋ ମାଟିର ବାସ୍ନା ।

ହେଉ ସୁସଂହତ ଐତିହ୍ଯ ସଂସ୍କୃତି

ରକ୍ତ ବଳିଦାନ ନ ଯାଉ ବୃଥା

ଜୀଉ ସ୍ବାଭିମାନୀ ଉତ୍ତର ଦାୟାଦ

ହେଉ ସୁରକ୍ଷିତ ତା ବୃତ୍ତି ପନ୍ଥା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics