ବକୁଳ ଅମାବାସ୍ୟା
ବକୁଳ ଅମାବାସ୍ୟା
ପୌଷ ମାସ ଅମାବାସ୍ୟା ପ୍ରାୟ ଭିନ୍ନ
ଅନ୍ୟ ଅମାବାସ୍ୟା ଠାରୁ
ବୃକ୍ଷର ପୂଜନ ପରମ୍ପରା ଧାରେ
ରହିଛି ଯୁଗ ଯୁଗରୁ
ବଉଳ ଅଥବା ବକୁଳ ନାମରେ
ପୌଷ ଅମାବାସ୍ୟା ଗଣା
ବିଶେଷ ରୂପରେ ଆମ୍ବ ବୃକ୍ଷ ପୂଜା
ସମାଜରେ ଜଣାଶୁଣା
ଋତୁ ଚକ୍ର ଧାରେ ବୃକ୍ଷ ଜଗତରେ
ପରିବର୍ତ୍ତନ ପ୍ରାୟତଃ
ଋତୁ ଅନୁଯାୟୀ ବୃକ୍ଷରେ ବି ଫୁଲ
ଫଳ ହୁଅଇ ତ୍ୱରିତ
ଶୀତଳ ସମୀର ଧାରା ପୌଷ ମାସେ
ପ୍ରାୟ ହୁଏ ପ୍ରବାହିତ
ଆମ୍ର ବୃକ୍ଷେ ଫୁଲ ବଉଳ ନାମରେ
ଭଲ ଭାବେ ପରିଚିତ
ଆମ୍ର ବୃକ୍ଷ ପତ୍ର ପ୍ରାୟ ବ୍ୟବହୃତ
ପ୍ରତ୍ୟେକ ଶୁଭ କାର୍ଯ୍ୟରେ
କଳସ ସ୍ଥାପନ ଆମ୍ବ ଡାଳ ପତ୍ରେ
ପୁଣି ଲାଗେ ତୋରଣରେ
ପ୍ରତି ପୂଜା ବିଧି ହୁଏ ସମ୍ପାଦନ
ସାଥେ ଆମ୍ବ ଡାଳ ପତ୍ର
ଦୁବ,ବରକୋଳି,କଦଳୀ ,ନଡ଼ିଆ
ପୂଜାରେ ବି ବ୍ୟବହୃତ
ବୃକ୍ଷକୁ ପବିତ୍ର ମାନ୍ୟତା ସହିତ
ସର୍ବୋପରି ପୂଜା ବିଧି
ପୌଷ ଅମାବାସ୍ୟା ତିଥି ପୁଣି ତୟ
ବଉଳ ନାମେ ପ୍ରସିଦ୍ଧି
ସ୍ଵତନ୍ତ୍ର ପିଷ୍ଟକ ଗଇଁଠା ନାମରେ
ପ୍ରସ୍ତୁତ ପୂଜା ନିମନ୍ତେ
ଆମ୍ବ ବୃକ୍ଷ ଡାଳେ ରଖି ସେ' ଗଇଁଠା
ପୂଜା ନୈବେଦ୍ୟ ସହିତେ
ଶ୍ରୀମନ୍ଦିର ବିଧି ବିଧାନ ଧାରାରେ
ପୌଷ ଅମାବାସ୍ୟା ଦିନ
ଗଇଁଠା ଭୋଗର ନୈବେଦ୍ୟ ଅର୍ପଣ
ହୁଏ ଭବ୍ୟ ସମ୍ପାଦନ
ମାଟି ,ପାଣି,ପବନ ,ବୃକ୍ଷ ଓ ସୂର୍ଯ୍ୟ
ଏ ଦେଶେ ହୁଏ ପୂଜନ
ପ୍ରକୃତିର ଦାନ ନଦୀ ଓ ସମୁଦ୍ର
ପୂଜ୍ୟ ପୂଜାର ବିଧାନ
ଭାରତୀୟ ସଂସ୍କୃତି ଓ ପରମ୍ପରା
ବିଚିତ୍ର ବିଧି ବିଧାନ
ବୃକ୍ଷ ପୂଜା ହୁଏ ଭକ୍ତି ଭାବ ଧାରେ
ପୁଣି ହେଉଛି ଛେଦନ
ଫଳନ୍ତି ବୃକ୍ଷକୁ ସମ୍ମାନ ପୂର୍ବକ
ହେଉ ପୂର୍ଣ୍ଣ ସଂରକ୍ଷଣ
ଛାଇ ସହ ଅମ୍ଳଜାନ ପ୍ରଦାନରେ
ହେଉ ମାନବ କଲ୍ୟାଣ
