STORYMIRROR

Bidyadhar Mantry

Abstract Classics Others

4  

Bidyadhar Mantry

Abstract Classics Others

ଆକାଶ କଇଁଆ

ଆକାଶ କଇଁଆ

1 min
394


ଭାବନା,କଳ୍ପନା ଓ ପରିକଳ୍ପନା 

ମନରେ ଯେବେ ଜାଗ୍ରତ

ବାସ୍ତବ ହେଉ ବା ଅବାସ୍ତବ କଥା

ଚିନ୍ତା ଚେତନାରେ ଜାତ 

ଭାବନା ଆକାରେ ସମ୍ଭାବ୍ୟ ଆଶା ରେ

ବୁଡି ରହି ସ୍ବପ୍ନ ରାଜ୍ୟେ 

ପ୍ରାୟ ଅନିଶ୍ଚିତ ଜ୍ଞାତ ଥାଇ ସୁଦ୍ଧା

ଭାବ ଉଦ୍ରେକ ସହଜେ

ଆକାଶ ସଦୃଶ ଉଚ୍ଚତା ସହଜେ

ହାତ-ପାଆନ୍ତାର ଚିତ୍ର

ବାସ୍ତବ କ୍ଷେତ୍ରରେ ପ୍ରାୟ ଅସମ୍ଭବ

କଳ୍ପନା ଭିତ୍ତିକ ମାତ୍ର


ଆକାଶ ସମାନ ଅନନ୍ତ ଅମାପ 

ମଣିଷ ମନ-ଭାବନା 

ସମୁଦ୍ର ପରାୟ ଶାନ୍ତ ଓ ଅଶାନ୍ତ

ପୁଣି କେବେ ଆନମନା 

ମନ ଓ ଭାବନା ଦୃତ ପୁଣି ଧୃତ

ପବନ ଠୁ ବି ଆଗରେ

ନିମିଷକେ ସର୍ବ ପୁରେ ପ୍ରବେଶଇ 

ବହୁ ମୁଖୀ ଚେତନାରେ

ବହିର୍ମୁଖୀ ଅନ୍ତର୍ମୁଖୀ ବିଷୟରେ

ଭାବନା ଜାଗି ମନରେ

ଉଭୟ ବିଷୟ ସହିତ ଭାବନା

ଜାତ ଏକା ସମୟରେ

ମରୁ ମରୀଚିକା ସମ ଅବାସ୍ତବ

ଅଯଥା ଆସକ୍ତି ଜାତ

ତଥାପି ମନରେ ଭାବନା ଉଦ୍ରେକ

ହୋଇପାରେ ସମ୍ଭବତଃ


ମନ କୁ ଯେ ଜିଣେ, ଜିଣଇ ଜଗତ

ବହୁ ପରିକ୍ଷିତ ମତ 

ସ୍ଵର୍ଗ ଅବା ନର୍କ ମନ ମୂଳେ ଧାର୍ଯ୍ୟ 

ପୁଣି ନିମିଷକେ ମାତ୍ର

ମନ ନିୟନ୍ତ୍ରଣ ବଳେ ଅଭିବୃଦ୍ଧି

ଆପେ ହୁଏ ସଂଘଟିତ

ମନ ଦ୍ଵାରା ପରିଚାଳିତ ହୋଇଲେ

ଅଧଃପତନ ନିଶ୍ଚିତ

ଅଡ଼ୁଆ ସୂତାକୁ ସଜାଡି ପାରିବା 

ହୁଏତ ସମ୍ଭବପର

ମନ କିନ୍ତୁ ଯଦି ଛନ୍ଦି-ମନ୍ଦି ହୁଏ

ସଜାଡ଼ିବା କଷ୍ଟକର

ଶକ୍ତ ଆଉ ଚଳ ଚଞ୍ଚଳ ପ୍ରାୟତଃ 

ମଣିଷର ନିଜ ମନ

ନିୟମିତ ବୈରାଗ୍ୟ ଯୁକ୍ତ ଭାବନା

ବଳେ ମନ ନିୟନ୍ତ୍ରଣ

ମନ ସହ ଏକାଦଶ ଇନ୍ଦ୍ରିୟ ର 

ସବୁରି ମୂଳରେ ମନ

ପରିଚାଳକ ସହ ଭବ୍ୟ ନିୟାମକ

ଚଞ୍ଚକତା ଭରା ମନ 

ଇନ୍ଦ୍ରିୟଙ୍କ ରାଜା ଭାବେ ହୁଏ ଗଣା

ସର୍ବେ ମନର ଅଧିନ 

ଜୀବର ବନ୍ଧନ ଓ ମୋକ୍ଷ ର କର୍ତ୍ତା 

ସବୁରି ମୂଳରେ ମନ

ବିଷୟା ରସ ରେ ଆସକ୍ତ ହୋଇଲେ

ବନ୍ଧନ ଭିତରେ ମନ

ସଂସାର ର ମୋହ ମାୟା ନ ରହିଲେ

ଆପେ ଶୁଦ୍ଧ ହୁଏ ମନ

ମନର ସ୍ବଭାବ ପ୍ରାୟତଃ ନିମ୍ନକୁ

ଉର୍ଦ୍ଧଗାମୀ ବି ସମ୍ଭବ

ପରମାତ୍ମା ସହ ସମ୍ପର୍କ ସ୍ଥାପନେ

ଅସମ୍ଭବ ବି ସମ୍ଭବ


ମନ ଅଛି କେଉଁ ନିଭୃତ କୋଣରେ 

କେବଳ ହିଁ ଅନୁଭବ

ଦେଖିବା ଛୁଇଁବା ନୁହଇ ସମ୍ଭବ

ଭାବନାରେ ହିଁ ଭାବ

ମନ ହିଁ ସର୍ବଦା ସ୍ଵାଧୀନ ସ୍ଵତନ୍ତ୍ର

ମାର୍ଗ କରେ ନିୟୋଜନ

ଉଚିତ ମାର୍ଗରେ ରହିଥିଲେ ମନ

ଜୀବନ ହୁଅଇ ଧନ୍ୟ 

ଆକାଶ କଇଁଆ,ଚିଲିକାର ମାଛ

କେବଳ ପରିକଳ୍ପନା

କଇଁଆ ଓ ମାଛ, ହାତ ପାଆନ୍ତା ରେ

ଅଟେ ପ୍ରାୟ ବିଡମ୍ବନା 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract