STORYMIRROR

Bidyadhar Mantry

Abstract Classics Inspirational

4  

Bidyadhar Mantry

Abstract Classics Inspirational

ଅପବାଦ

ଅପବାଦ

1 min
305

            

ବାସ୍ତବିକ ଘଟଣାର ସତ୍ୟାସତ୍ୟ

ପ୍ରାୟ ନ ଜାଣି ନ ଶୁଣି

ଦୋଷ ବା ତ୍ରୁଟିର ପ୍ରକାଶ ପ୍ରକ୍ରିୟା 

ବ୍ୟାପକ ହୁଏ ତତ୍କ୍ଷଣି

ବିବାଦିତ ସ୍ବର ନିନ୍ଦା ଅପବାଦ

ସାଥେ କଳ୍ପିତ କାହାଣୀ 

ଚରିତ୍ର ସଂହାର ଜନ ସମାଜରେ

ପ୍ରସାରିତ ହୁଏ ପୁଣି

ଚରିତ୍ରରେ ଦାଗ ନିନ୍ଦା ଅପବାଦ 

କାଳିମା ପ୍ରାୟ କଳଙ୍କ 

ବଳିଷ୍ଠ ବ୍ୟକ୍ତିତ୍ବ ଆପେ ଧରାଶାୟୀ

ଜୀବନ ବି ନିରର୍ଥକ


ଅପବାଦ ଧାରେ ଅନେକ ଦୃଷ୍ଟାନ୍ତ

ଅନୁମେୟ ସହଜରେ

ଦ୍ଵାପରେ ଗୋପରେ ଅପବାଦ ସ୍ବର

ରାଧା କୃଷ୍ଣ ପ୍ରେମ ଧାରେ

ସହସ୍ର ଗୋପିକା ରାସ ରସେ ରତ 

ନଟ ନାଗର ସହିତ

ରାଧା ନାମେ ଯେଣୁ ଡାକିଲା ମୁରଲୀ

ହେଲେ ରାଧା ଅପଦସ୍ତ

ଅପବାଦ ସହ ଥିଲା ବି ଜଡ଼ିତ

ଅନେକ କଳ୍ପିତ କଥା

କାନ କୁହା ଅବା ମନ ଗଢ଼ା କଥା

ବ୍ୟଥିତ ଥିଲା ସେ ବାର୍ତ୍ତା


ଅନ୍ୟ ଅପବାଦ ଶ୍ରୀକୃଷ୍ଣ ନାମରେ

ପୁରାଣ ବର୍ଣ୍ଣିତ କଥା

ସମ୍ୟନ୍ତକ ମଣି ଚୋରି ଅଭିଯୋଗ

ନିନ୍ଦା ଅପବାଦ ବ୍ୟଥା

ରହସ୍ୟ ଭିତ୍ତିକ ପ୍ରସଙ୍ଗ ଧାରାରେ

ସତ୍ୟ ହେଲା ଉନ୍ମୋଚିତ

ଜାମ୍ବବତୀ ଆଉ ସତ୍ୟଭାମା ସାଥେ

ମଣି ହେଲା କରାୟତ୍ତ

ସତ୍ୟର ପ୍ରକାଶ ଧାରେ ଅପବାଦ

ଲୁଚି ଯାଇ ଅଛି ସତ

ତଥାପି ଦୃଷ୍ଟାନ୍ତ ଯୁଗ ଯୁଗ ଧରି

ମିଥ୍ୟା ଅପବାଦ ତଥ୍ୟ


ସ୍ବାମୀ ପ୍ରତି ନିନ୍ଦା ଅପବାଦ କଥା

ଯଜ୍ଞ ସ୍ଥଳେ ଶୁଣି ସତୀ

ସେଇ କ୍ଷଣି ନିଜ ଜୀବନକୁ ନିଜେ

ଯଜ୍ଞରେ ଦେଲେ ଆହୁତି

ନିଜ କୃତ କର୍ମ ପାଇଁ ଅପବାଦ

ଶୁଣିଲେ ରାଣୀ କୈକେୟୀ

ନିଗୁଢ଼ ରହସ୍ୟ ଥିଲା ଲୁକ୍କାୟିତ 

ଅପବାଦ ଦେଲା ଧୋଇ

ଅପବାଦ ଧାରେ ସୁନ୍ଦରୀ ଅହଲ୍ୟା

ସ୍ବାମୀ ଗୌତମ ଶାପରେ 

ପଥର ହୋଇ ପଥ ଧାରେ ରହିଥିଲେ

ମୁକ୍ତି ରାମଙ୍କ ସ୍ପର୍ଶରେ

ଅପବାଦ କଥା ସହି ପାରିଲେନି 

ମାତା ଲକ୍ଷ୍ମୀ ଠାକୁରାଣୀ

ଶ୍ରୀମନ୍ଦିର ଛାଡି ଗଲା ପରେ ପରେ

ପ୍ରଭୁ ବଡ ପଣ ହାନି 

ମିଥ୍ୟା ନିନ୍ଦା ଅପବାଦ ବଳେ ପ୍ରାୟ

ସ୍ବଭାବ ହୁଅଇ ନଷ୍ଟ

ସତ୍ୟାସତ୍ୟ ପ୍ରକାଶିତ ହେବା ଯାଏଁ

ସହ୍ୟ ହୁଏ ସବୁ କଷ୍ଟ


ବେଳେବେଳେ ମିଥ୍ୟା ନିନ୍ଦା ଅପବାଦ 

ନିଆଁ ପରି କରେ ଗ୍ରାସ

ଅନ୍ୟର ଚରିତ୍ର ଅବା କୃତ କର୍ମ

ମିଥ୍ୟା ଅପବାଦେ ଧ୍ଵଂସ 

ନିଜ ସ୍ବାର୍ଥ ଅବା ଇର୍ଷା ପରାୟଣ 

ଭାବନା ଥାଇ ହୃଦରେ

ଅନ୍ୟ ପ୍ରତି ନିନ୍ଦା ଅପବାଦ ପ୍ରାୟ

ଅନୁମେୟ ସହଜରେ

ଆଜିକାଲି ପ୍ରାୟ ଭଣ୍ଡ ବ୍ୟଭିଚାର 

ବାବା,ସାଧୁ ,ସନ୍ଥ ଧାରେ

ଅପବାଦ ପରିଲକ୍ଷିତ ପ୍ରାୟତଃ 

ସତ୍ୟ ପ୍ରକାଶିତ ପରେ

ପ୍ରକୃତ ରହସ୍ୟ ପୁଣି ସତ୍ୟାସତ୍ୟ 

ଜାଣିବା ବିଦ୍ଧି ସଙ୍ଗତ

ନିନ୍ଦା ଅପବାଦ ନ ହେଉ କାହାରି

ତଥ୍ୟ ନୁହେଁ ଯଦି ସତ୍ୟ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract