STORYMIRROR

Chinmaya Kumar Nayak

Abstract

3  

Chinmaya Kumar Nayak

Abstract

କାଲି

କାଲି

1 min
133

ଅନେକ କାଲି ସାଇତା ହେଲେଣି

ସେ ଅନ୍ଧାରୁଆ ଘରଟାରେ 

ରାତି ସବୁ ପାହିଗଲା ପରେ,

ଏଇ ସଜ ସଜ ସରିଥିବା କାଲିଟିଏ 

ଜାହିର କରୁଥିଲା ନିଜ ଯୌବନକୁ

ନିଜ ଉପସ୍ଥିତିକୁ

ବେଶ ଏକ ଦେଖିଲା ଭଳି ଢଙ୍ଗରେ,

କିନ୍ତୁ ସେ କଣ ଜାଣିଥିଲା 

ଗୁଣ୍ଡାରାଜ ଚାଲିଥିବ

କିଛି ହାତଗଣତି କାଲିଙ୍କର ଆଗରୁ ସେ ଘରେ !


ଅନେକ କିଛି କାଲି ଧୂଳି ସହ ଗୋଳି ହୋଇ

ଭୁଲି ଯାଇଥାନ୍ତି ନିଜ ଅସ୍ତିତ୍ୱକୁ,

ଆଉ କିଛି ଅଟ୍ଟହାସ୍ୟ କରୁଥାନ୍ତି ସଗର୍ବରେ

ବାରମ୍ବାର ଦୋହରାଇ ଉଚ୍ଚସ୍ୱରେ

ତାଙ୍କ ସେଇ ପୁରୁଣା ସଫଳତା ସବୁକୁ,

କିଛି କାଲି ଏବେ ବି ଉଦାସ

ଘରକୋଣେ ଶୋକଗ୍ରସ୍ତ ହୋଇ

ଭିଜାଉଥାନ୍ତି ନିଜ ଗଣ୍ଡସ୍ଥଳ

ନିନ୍ଦୁଥାନ୍ତି ମନେମନେ କେବେ ନିୟତିକୁ

କିମ୍ବା କେବେ ନିଜର କି ଅନ୍ୟର ଭୁଲକୁ। 


କିଛି କାଲି ଖୁବ ଚଗଲା

ଅନେକ ଦୁଷ୍ଟାମୀ ସବୁକୁ ଆବୋରି ବସିଥାନ୍ତି

ଅମୂଲ୍ୟ ସନ୍ତକଟିଏ ଭଳି,

କିଛି ଲାଜୁଆ କାଲି 

ମୁହଁ ଲୁଚାନ୍ତି ଏବେ ବି ଚାହିଁଲେ

ସଜ ସଜ ଆସିଥିବା ବୋହୁଟିଏ ଭଳି।


ଅନେକ ସମୟରେ ମୁଁ ଯେବେ ପଶିଯାଏ

ସେ ଘରକୁ ମୋ ଅଳସ ମୁହୂର୍ତ୍ତେ

ଧାଇଁ ଆସନ୍ତି ମୋ ପାଖକୁ

ଅତ୍ୟନ୍ତ ଆତ୍ମୀୟଟେ ପରି

ଓ ଆପ୍ୟାୟିତ କରନ୍ତି ନିଜ ନିଜ ଭାବକୁ ପରଶି,

ମୁଁ ବି ସାଦରେ ପିଇଯାଏ 

ଖୁବ ବେଶୀ ତୃଷିତଟିଏ ପରି

ସେ ହେଉ ପଛେ ଶୋକ ଓ ଯନ୍ତ୍ରଣା

କି ବିତିଯାଇଥିବା କିଛି ଅଙ୍ଗେନିଭା ଖୁସି। 


ସେଇ କାଲି ମାନଙ୍କଠାରୁ

ମୁଁ ସାଉଁଟି ଆଣେ ଆଜି ପାଇଁ 

ଅନେକ ଅନୁଭୂତି ଓ ଉତ୍ସାହର ବୀଜ

ସରିଯାଇଥିଲେ ବି ସେ କାଲିମାନେ ହିଁ

ସାଜନ୍ତି ଜୀବନ ପଥରେ

ଏକ ଉଲ୍ଲସିତ ପ୍ରଭାତ ଓ ତୃପ୍ତିକର ସଞ୍ଜ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract