STORYMIRROR

Chinmaya Kumar Nayak

Abstract

3  

Chinmaya Kumar Nayak

Abstract

ସ୍ବେଦର ମୂଲ

ସ୍ବେଦର ମୂଲ

1 min
158

ଋତୁ ମାନେ ଏରୁଣ୍ଡି ଡିଅଁନ୍ତି ନାହିଁ ମୋ ଅଚିହ୍ନା ଘରର

ପବନ କେବେ ପଚାରି ବୁଝେନା ମୋ ସ୍ବେଦର ଖବର,

ପାଦ ମୋ ଅଭ୍ୟସ୍ତ ସଦା ଅବିଶ୍ରାନ୍ତ କର୍ମର ଭିଡ଼ରେ

ଜୀବନ ମୋ ପାଇଁ ଏକ ଟଣା ଭିଡ଼ା ସଂକ୍ଷିପ୍ତ ଚାଦର।


ଶିଳ୍ପ ବଜାରରେ ମୋର ପରିଚୟ ଏକ ଝାଳବୁହା ଯନ୍ତ୍ର 

ମୁଁ ଜାଣେନା ଆଉ କିଛି, ପରିଶ୍ରମ ଏକା ମୋର ମନ୍ତ୍ର,

ଦିଗନ୍ତଟା ଦିଶେ ମୋତେ ଝାପ୍ସା ଏକ ଦିବାସ୍ୱପ୍ନ ପରି

ଚାଖଣ୍ଡେ ପରର ବେଳ ମୋ ପାଇଁ ଅର୍ଥହୀନ ସୂତ୍ର। 


ହାରିବା ମୋ ଭାଗ୍ୟେ ଲେଖା ନାହିଁ ଜିତିବା ଦୁରାଶା

ଲକ୍ଷ୍ୟ, ସ୍ୱପ୍ନ, ଆଶା ପରି ଶବ୍ଦ ମାନେ ମୋ ପାଇଁ କୁଭାଷା,

କେଇ ବୁନ୍ଦା ସ୍ବେଦ ଦେଇ କିଣେ ଆଜିର ତେଲଲୁଣ ସିନା

ଆଜି ହିଁ ମୋ ଜୀବନ ଓ କାଲି ମୋର ନିରୁତ୍ତର ଜିଜ୍ଞାସା। 


ମୋଡ଼ କେବେ ବଦଳାଏ ନାହିଁ ମୋ ପାଇଁ ଜୀବନ

ସୁଖର ସକାଳ କି ତୃପ୍ତିଭରା ରାତି ମୋ ପାଇଁ ସପନ,

ବଞ୍ଚିବା ଓ ବଞ୍ଚି ରହିବା ହିଁ ତ ମୋ ଜୀବନ ସଂଘର୍ଷ

ବାଜି ମୁଁ ଲଗାଏ ନାହିଁ ମୋ ପାଇଁ ବାଜି ମୋ ଜୀବନ। 


ମୋ ସ୍ବେଦର ମୂଲ୍ୟ କେବେ କାହାଠାରୁ ପଚାରି ବୁଝିନି

ନିଅଣ୍ଟିଆ ଦାନା ଗଣ୍ଡେ ବି ସେ ମୂଲ୍ୟରେ ହୁଏନି,

ବହୁବାର କରିଛି ହିସାବ ତାର ଶେଷେ କିନ୍ତୁ ମିଳେନା

ମହଙ୍ଗା ବଜାରେ ଆମେ ଶସ୍ତା ଆମ ରକ୍ତ ଖାଲି ପାଣି। 


ସ୍ବେଦ ମୋର ଜମାଟ ବାନ୍ଧିଛି ଦେଖ କୋଣାର୍କ କାନ୍ଥରେ

ରକ୍ତ ମୋର ବନ୍ଧା ପଡିଛି ଦେଖ ହୀରାକୁଦ ବନ୍ଧରେ,

ମୋ ଚିତ୍କାରର ଛିଟା ତୁମ ସଫଳତାର ପ୍ରତିଟି ପୃଷ୍ଠାରେ

ତୁମେ ମାନ କି ନ ମାନ ତୁମ ଇତିହାସ ଲେଖା ମୋ ସ୍ବେଦରେ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract