ଖୁଦୁରୁକୁଣୀ ଓଷା
ଖୁଦୁରୁକୁଣୀ ଓଷା
ପରବପର୍ବାଣି, ନାନା ଓଷା ବ୍ରତ
ଆମର ସଂସ୍କୃତି ପରମ୍ପରାରେ
ଲାଗଇ ଯେମିତି ବିଭବଠୁ ବଳି
ଅମାପ ଆନନ୍ଦେ ହୃଦୟ ପୂରେ ।
ଉଭା ହୋନ୍ତି ଆସି ନାନା ଦେବାଦେବୀ
ବରଷ ସାରା ପ୍ରତ୍ୟେକ ଋତୁରେ
ଆସ୍ଥାନରେ ବସି ଶୁଭାଶିଷ ଢାଳି
ବିଦାୟ ନିଅନ୍ତି ଯେଝା ବାଟରେ ।
ଆସନ୍ତି ଶରତେ ଭାଦ୍ରବ ମାସରେ
କଲ୍ୟାଣକାରିଣୀ ମାଆ ମଙ୍ଗଳା
ଖୁଦୁରୁକୁଣୀ ନାମରେ ପରିଚିତା
କୁଆଁରୀ ହୃଦୟେ କୀରତି ବୋଳା ।
ତଅପୋଇ ଗାଥା ତାହାର ଦୃଷ୍ଟାନ୍ତ
ପୂଜି ଘରମଣି ପାଇଲା ଫେରି
ସାତଭାଇ ତା'ର ବଣିଜରୁ ଫେରି
ନେଇଥିଲେ ସବୁ କଷଣ ହରି ।
ଭାଇମାନଙ୍କର ମଙ୍ଗଳ ମନାସି
କୁଆଁରୀଏ ପ୍ରତି ରବିବାରରେ
କରନ୍ତି ପୂଜନ ଖୁଦୁରୁକୁଣୀଙ୍କୁ
ଆସ୍ଥାନରେ ଥାପି ଭକ୍ତି ଚିତ୍ତରେ ।
ଜାକଜମକରେ ବିଧିବିଧାନରେ
ନାନା ବାଦ୍ୟ ନାଦେ କମ୍ପଇ ଧରା
ପଲ୍ଲୀପ୍ରକୃତିରେ ଆହା ! କି ଆନନ୍ଦ
ସତେ କି ନୟନ ହୁଅଇ ତୋରା !
ବାତ ସାଥେ ବହି ଗୀତର ଲହରୀ
କରେ ଉତ୍ଫୁଲ୍ଲିତ ସକଳ ପ୍ରାଣ
ଭକତି ଭାବନା ହୁଅଇ ଉଦୟ
ଅନ୍ତର ଜଣାଏ କୋଟିନମନ ।
ଅଭୟଦାୟିନୀ ମା' ପରା ସିଏ
କରେନି ଅଣଦେଖା ଆର୍ତ୍ତୀ ଡାକ
କୁମାରୀମାନଙ୍କ ମନକଥା ପଢ଼ି
ଦେଇଥାଏ ଢାଳି ଅପାର ସୁଖ ।
ଶେଷ ରବିବାର ଉଜାନ୍ତି ଓଷାକୁ
ଚାରିପାଳି ଅବା ପାଞ୍ଚପାଳିରେ
ଅରପଣ ଖୁଦ ନୈବେଦ୍ୟରୁ ନାମ
ତା' ଖୁଦୁରୁକୁଣୀ ଓଷା ଭାବରେ ।
