STORYMIRROR

Bidyadhar Mantry

Abstract Classics Others

4  

Bidyadhar Mantry

Abstract Classics Others

ନେତ୍ର ଦ୍ବୟ ଯା'ର ସୂର୍ଯ୍ୟ ଚନ୍ଦ୍ର

ନେତ୍ର ଦ୍ବୟ ଯା'ର ସୂର୍ଯ୍ୟ ଚନ୍ଦ୍ର

1 min
258


ବିନା ପଲକରେ ନେତ୍ର ଦ୍ବୟ ଯା'ର ସୂର୍ଯ୍ୟ ଚନ୍ଦ୍ର 

ସେହି ପ୍ରଭୁ ସର୍ବଦ୍ରଷ୍ଠା ଜଗନ୍ନାଥ 

ଅପଲକ ନୟନରେ ଦେଖୁଛନ୍ତି ଏ ଜଗତ

ଲୀଳାମୟଙ୍କର ଲୀଳା ବି ବିଚିତ୍ର

ବାମ ନେତ୍ର ସୂର୍ଯ୍ୟ ପୁଣି ଚନ୍ଦ୍ର ଦକ୍ଷିଣ ନେତ୍ରରେ

ତେଜମୟ ସଦା ସେହି ନେତ୍ର ଦ୍ବୟ 

ସେ' ନେତ୍ର ଦର୍ଶନେ ଏ କଳି କଳୁଷ ଆପେ ଦୂର

ଭକ୍ତ ମନ ପ୍ରାଣ ବି ହୁଏ ଅଥୟ

ଲୀଳାମୟ ଇଛାମୟ ଦୟାମୟ ଜଗନ୍ନାଥ

ଯୁଗେ ଯୁଗେ ସବୁ ଲୀଳା ସ୍ମରଣୀୟ

ସୃଷ୍ଟି ଆରମ୍ଭରୁ ଲୀଳା କ୍ରମେ ଚାଲୁ ରହିଅଛି

ଲୀଳାମୟ ନାମ ଅବିସ୍ମରଣୀୟ

ମର୍ତ୍ତ୍ୟ ବୈକୁଣ୍ଠରେ ରତ୍ନ ସିଂହାସନେ ବିରାଜିତ

ଇଛାମୟ ତୁମେ ଶ୍ରୀକ୍ଷେତ୍ରର ଶିରୀ

ତୁମ ଇଚ୍ଛାରେ ହିଁ ଆତଯାତ ସକଳ ଜଗତ

ଲୀଳାମୟ ,ସବୁ ଲୀଳା ହିଁ ତୁମରି

ଆହେ ନୀଳାଚଳ ନାଥ ପୁଣି ଜଗତର ନାଥ

ଭକତ ଭାବରେ ବନ୍ଧା ଭାବଗ୍ରାହୀ

ଭକତି ଭାବ ପାଇଁ ଖୋଜୁଛି ପୁରାଣ ପୋଥିରେ

ଭାବର ରହସ୍ୟ ଭକ୍ତି ଭାବ ପାଇଁ

ଭବ ସାଗରରେ ଭାସି ଭାସି ଯାଉଅଛି ଏକା

ଥଳ-କୁଳ ଏଠି ପାଉ ନାହିଁ କାହିଁ

ତୁମେ ନିରାକାର ପୁଣି ଆକାର ହୋଇଛ କିପରି

ସେ' ଗୁଢ଼ରହସ୍ୟ ଆଦୌ ଜାଣିନାହିଁ

ସଂସାର ମୋହ ମାୟାରେ ଜୀବନ ଅତି ଦୁଃସହ

ଭୁଲି ଯାଉଅଛି ନାମ ଜପିବାକୁ

ଜୀବନ ଯନ୍ତ୍ରଣାରେ ବୁଦ୍ଧି ବାଟବଣା ହୁଏ

ହୃଦୟର ଦୁଃଖ କହିବି କାହାକୁ

ରାଧାରାଣୀ ଭାବ ଅବା ମୀରା-ବାଇ ପରି ଭାବ

ଜାଣିବାକୁ ମନ ହେଉଛି ଆତୁର

ଯେଉଁ ଭାବରେ ଭାବଗ୍ରାହୀ ବି ଭାବ ରଖିଥିଲେ

ସେହି ଭାବ ଖୋଜୁ ଅଛି ନିରନ୍ତର

ନୀଳାଚଳେ ବସି ଭାବକୁ ପରଖି ଦେଖୁ ଅଛ

ଅପଲକ ନୟନରେ ଦିନରାତି

ବନ୍ଧୁ ମହାନ୍ତି ସାଲବେଗ ଦାସିଆ ହୃଦୟର

ସେ' ଭାବ କରିଛ ଗ୍ରହଣ ସମ୍ପ୍ରତି

ନୀଳାଚଳେ ମାନବୀୟ ଲୀଳା ପ୍ରକଟ ହୋଇଛି

ଭକ୍ତଙ୍କ ଗହଳି ନିତି ପ୍ରତିଦିନ

ଭାବ-ଜ୍ଞାନ ପାଇଁ ସତ୍ୟ ପଥ ଦିଅନ୍ତୁ ଦର୍ଶାଇ

ଶ୍ରୀଚରଣେ କରୁଅଛି ନିବେଦନ

ଯୁଗ ଯୁଗ ଧରି ସତ୍ୟ ଧର୍ମ ରକ୍ଷା ଅର୍ଥେ ଲୀଳା

ଲୀଳା ଖେଳା ଚାଲୁଅଛି ଅହରହ

ଆହେ,ମହାନାୟକ ଲୀଳାମୟ ପ୍ରଭୁ ଜଗନ୍ନାଥ

କଳି କାଳେ କି ଲୀଳା ହେଉଛି କୁହ!



Rate this content
Log in

Similar oriya poem from Abstract