ଆହା ରେ ସୁଦାମା ବାହା ରେ କୃଷ୍ଣ
ଆହା ରେ ସୁଦାମା ବାହା ରେ କୃଷ୍ଣ
ବନ୍ଧୁତା ଶବ୍ଦର ଅର୍ଥ ପରିଭାଷା
ଲାଗେ ଯଦି କ୍ଲିଷ୍ଟ ସନ୍ଦେହପୂର୍ଣ୍ଣ
ଲୋଡାନାହିଁ ଖୋଜା ପାଣିନୀଙ୍କ ଟୀକା
କି ଅମରକୋଷାଦି ଅଭିଧାନ ।
ସରଳ ଦୃଷ୍ଟାନ୍ତ ପୁରାଣ ବୃତ୍ତାନ୍ତ
ଅଟନ୍ତି ବାନ୍ଧବ ସୁଦାମା କୃଷ୍ଣ
ଜାଣି ନାହଁ ଯଦି ସେ ଚରିତ୍ର ଦୁଇ
ଥରେ କେବେ ବୁଝ ପଢ ବା ଶୁଣ ।
ଗୁରୁ ସନ୍ଦିପନୀ ବିଦ୍ଯା ଆଶ୍ରମରେ
ଥିଲେ ଦୁହେଁ ଅତି ଘନିଷ୍ଠ ବନ୍ଧୁ
ସୁଦାମା ଅଟନ୍ତି ଗରିବ ବ୍ରାହ୍ମଣ
କୃଷ୍ଣ ଗୋପେ ବୃଷ୍ଣି ବଂଶର ଇନ୍ଦୁ ।
ଅଧ୍ୟୟନରତ ସହପାଠୀମେଳେ
ବିତଇ କୈଶୋର ହସଖୁସିରେ
ବଢେ ପରିଚୟ କ୍ରମେ ଆତ୍ମୀୟତା
ହଜିଯାଏ କର୍ମବ୍ଯସ୍ତ ସଂସାରେ ।
ବଢିଲା ଜଞ୍ଜାଳ ଗ୍ରାହସ୍ଥ୍ଯ ଜୀବନେ
ଦରିଦ୍ର ସୁଦାମା ମନ ବିଷର୍ଣ୍ଣ
ଧର୍ମପତ୍ନୀ ତାଙ୍କ ଦେଲେ ଉପଦେଶ
ଭେଟ ଯାଇ ଥରେ ବନ୍ଧୁ ଶ୍ରୀକୃଷ୍ଣ ।
ଦ୍ଵାରକାଧିପତି ରାଜରାଜେଶ୍ଵର
ଅଷ୍ଟପାଟବଂଶୀ ସୁସାହଚର୍ଯ୍ଯେ
ବିନାଶି କଂସକୁ ଭଗବାନ କୃଷ୍ଣ
ଥିଲେ ରାଜକୀୟ ମହା ଐଶ୍ବର୍ଯ୍ଯେ ।
ଗାମୁଛାରେ ବାନ୍ଧି ମଳୁଖର ଭଜା
ଚାଲିଲେ ସୁଦାମା ଦ୍ବାରକା ମୁଖେ
ଚାଲି ଦୂର ବାଟ ପଡୁଥାନ୍ତି ଥକି
ଭାଳୁଥାନ୍ତି ବସି କଥା ଅନେକେ ।
ଭାରିଜା ବଚନେ ଆସିଲେ ବିଶ୍ବାସେ
ବୃଥା ହେବ ତାଙ୍କ ସବୁ ଉଦ୍ୟମ
ରହୁଥିବେ କୃଷ୍ଣ ଭବ୍ଯ ମହଲରେ
ଏଡେ ସହଜେ କି ହେବ ଦର୍ଶନ ।
ଜୀର୍ଣ୍ଣ ଶୀର୍ଷ ବସ୍ତ୍ର ଦରିଦ୍ର ବ୍ରାହ୍ମଣ
ପରିଧାନ ଖଣ୍ଡେ ଗାମୁଛା ଧୋତି
ସତ ହେଲା ତାଙ୍କ କଳ୍ପନାଜଳ୍ପନା
ମିଳିଲାନି ତାଙ୍କୁ ପ୍ରବେଶାନୁମତି ।
ଅନ୍ତର୍ଯ୍ୟାମୀ କୃଷ୍ଣ ଆସି ନିଜେ ଧାଇଁ
ଆଲିଙ୍ଗନ କରି ନେଲେ ପାଛୋଟି
ଆଦର ସହିତ ଧୋଇ ଦେଲେ ପାଦ
ପାଟବସ୍ତ୍ରେ ଦେଲେ ସଯତ୍ନେ ପୋଛି ।
ସ୍ମିତହସି କୃଷ୍ଣ ସୁଦାମାଙ୍କ କନ୍ଧୁ
ଗାମୁଛାକୁ ଭିଡି ନେଲେ ଶ୍ରୀହସ୍ତେ
ମୁଖରେ ପକାଇ ଖୁଦର ଭଜାକୁ
ଚର୍ବଣେ ହୋଇଲେ ସେ ଗଦଗଦେ ।
ଘେରିଗଲେ ତାଙ୍କୁ ଅଷ୍ଟପାଟବଂଶୀ
କହିଲେ କେଶବ କି ସ୍ବାର୍ଥପର
ବନ୍ଧୁ ଆଣିଛନ୍ତି ଯେଉଁ ଉପହାର
କରୁଛ ଏକାକୀ ତୁମେ ଆହାର ।
ବନ୍ଧୁ ବତ୍ସଳତା ଅମୂଲ୍ଯ ସମ୍ପଦ
ଭବ୍ଯ ସେ ସୌନ୍ଦର୍ଯ୍ଯେ ଜୀବନ ଧନ୍ଯ
ବିତରି ଅମୃତ ଦିବ୍ଯ ବନ୍ଧୁ ପ୍ରେମ
ଆହାରେ ସୁଦାମା ବାହାରେ କୃଷ୍ଣ।
