ପାଷାଣ କହୁଛି
ପାଷାଣ କହୁଛି
ଭଗ୍ନସ୍ତୁପ କୋଣାର୍କର କାନ୍ଥ କୁହେ କଥା
ପାଷାଣ ରେ ଲେଖାଅଛି ଅତୀତର ଗାଥା
ସମୟ ସ୍ରୋତରେ ଧୌତ ବିଶାଳ କୀରତି
ତଥାପି ଏବେ ବି ଝରେ ପାଷାଣରେ ମୋତି ।
ଭଗ୍ନସ୍ତୁପ କୋଣାର୍କର ଶୂନ୍ୟ ସିଂହାସନ
ଆଦ୍ୟ ଛୁଆଁ ଦେଇଥାଏ ଉଦିତ କିରଣ
ଶୂନ୍ୟ ସିଂହାସନେ ବିଜେ ଆଭାମୟ ଜ୍ୟୋତି
ପାଷାଣ କୁହଇ କଥା ଶିଳ୍ପୀର କୀରତି ।
ଶିଳ୍ପୀ ନିହାଣରେ ଲେଖା ଜୀବନର ରସ
ପାଷାଣ ରେ ଲେଖାପୁଣି ପୁଣ୍ୟମୟ ହସ
ଉତ୍କଳ ର ଇତିହାସ ସଂସ୍କୃତିର ଗାଥା
ପାଷାଣ ବୁକୁରେ ପ୍ରାଜ୍ଞ ସ୍ଥପତିର କଥା ।
ବିଜନ ନିଶାର୍ଦ୍ଧେ ସତେ ମନ୍ତ୍ର ସମ୍ମୋହନ
ସମ୍ମୋହିତ କରି ରଖେ କଳା ଆକର୍ଷଣ
ପାଷାଣୀ ନାୟିକା କହେ ମନସ୍ତତ୍ତ୍ୱ କଥା
ଶିଳ୍ପୀ ନିହାଣେ ରଚିତ ମନ ତଳ ବ୍ୟଥା ।
ପାଷାଣ କହୁଛି କଥା ଶିଳ୍ପୀ ବି
ରହର
ଲୁହର ନୈବେଦ୍ୟ ଭରା ଗାଥା ଯେ ଜାତିର
ଜାତିପ୍ରୀତି ପାଶେ ନ୍ୟୁନ ବ୍ୟକ୍ତି ଭାବାନ୍ତର
ତ୍ୟାଗ ମନ୍ତ୍ର ପ୍ରତିଧ୍ୱନୀ ଶୁଭେ ନିରନ୍ତର ।
ପାଷାଣ ବଖାଣେ ଶିଳ୍ପୀ ନିହାଣର କଥା
ବିଜ୍ଞାନ ସମ୍ମତ ଛନ୍ଦେ ଲେଖା ଯେ ସଂହିତା
ପ୍ରଗଲ୍ଭ ସମୟ କୋଳେ କୀର୍ତ୍ତି ବିସର୍ଜିତ
ତଥାପି ପାଷାଣ କହେ କାହାଣୀ ଅଦ୍ଭୁତ ।
ଶିଳ୍ପୀ ସ୍ମାରକୀ ରେ ଲେଖା ସ୍ଥାପତ୍ୟ ଭୂଗୋଳ
ସାରା ବିଶ୍ୱେ କୀର୍ତ୍ତି ରାଜି ପକାଏ ଚହଳ
ପାଷାଣ କହୁଛି ଏଠି ବିଜ୍ଞାନ, ଗଣିତ
ଜ୍ୟୋତିଷ, ବାସ୍ତୁଶାସ୍ତ୍ରରେ ପାଷାଣ ପଣ୍ଡିତ ।
ପାଷାଣ କହୁଛି ଏଠି ପ୍ରାଜ୍ଞତାର କଥା
ଅପରୂପ ଶୋଭାରାଶି ସୌନ୍ଦର୍ଯ୍ୟର ଗାଥା
ଭଗ୍ନସ୍ତୁପେ ଲେଖା ମଗ୍ନ ଯୋଗୀଙ୍କର ଗୀତା
ପାଷାଣ ବଖାଣୁ ଅଛି ଶିଳ୍ପୀ ମହାନତା |