ଅକୁହା କଥା
ଅକୁହା କଥା
ଚାହିଁ ରହିଥିଲା ଆକାଶେ ଚାତକୀ
ବର୍ଷାଜଳ ଟୋପେ ପାଇଁ
ବର୍ଷା ଆସିଗଲା ଚାତକୀର ଶୋଷ
ଏଯାଏ ବି ମେଣ୍ଟି ନାହିଁ I
ସାଗର ଲହଡି ନିତି କୂଳ ଛୁଏଁ
ସରେ ନାହିଁ ତାର ଆଶା
ବୁଝି ପାରେ ନାହିଁ ବେଳାଭୂମୀ ତାର
ମନର ଅକୁହା ଭାଷା I
ନିରୋଳା ଖରାରେ ମରୁଯାତ୍ରୀ କଣ୍ଠୁ
ସ୍ଫୁରେନାହିଁ କିଛି କଥା
ବୁଝି କି ପାରିବ ମରିଚିକା କେବେ
ଶୋଷିଲା ପ୍ରାଣର ବ୍ୟଥା I
ପଥିକ ଖୋଜଇ ପାନ୍ଥଶାଳା ଆଶ୍ରା
ସଞ୍ଜ ନଇଁଗଲା ପରେ
ରାତିର ଅତିଥି ପାନ୍ଥଶାଳା ଦୁଃଖ
ପଚାରେନି କେବେ ଥରେ I
ଦୁଃଖର ପାହାଡ ମଥାରେ ବୋହି କେ
ନିରବରେ ଚାଲେ ବାଟ
ଜୀବନ ନଈରେ ବନ୍ୟାଜଳ ଆସି
ଉଛୁଳାଏ ଦୁଇ ତଟ I
ତଥାପି ଖୁସିରେ ସହି ଯାଇହେବ
ସବୁ ଯନ୍ତ୍ରଣାର ଦାଉ
ସଖୀଟିଏ ଯଦି ହାତ ଧରିଥିବ
କିସ ଲୋଡା ତାର ଆଉ I
