ଫେରି ନାହିଁ ସୌଦାଗର
ଫେରି ନାହିଁ ସୌଦାଗର
କ'ଣ ସେ ସୌଦାଗର ଫେରି ଯାଇଥିଲେ
ତେର ନଈ, ସାତ ଦାରିଆ ଡେଇଁ
ଛାଡ଼ି ଏହି ସୁନାର ଭାରତ ଭୁଇଁ
ନିଜ ଦେଶ, ଆମକୁ ସ୍ବାଧୀନତା ଦେଇ ?
ସୂର୍ୟ୍ଯାସ୍ତର ସୌଦାଗର ଫେରି ନ ଥିଲେ
ଲୁଟି ଥିଲେ ଛଦ୍ମବେଶର ମୁଖା ପିନ୍ଧି
ଲୁଟୁଛନ୍ତି ଆମଠୁ ଆମର ଲୁଣ ଆଉ ରୁଟି
ଶସ୍ୟ-ଶ୍ୟାମଳା - ପବିତ୍ର ସୁନାର ମାଟି ।
ଦେଉଛନ୍ତି, ହିଂସା-ବ୍ୟଭିଚାର-
ବର୍ବରତା-ଦୁର୍ନୀତି-ଦୁଃଦିନର ଭେଟି
ଭରୁଛନ୍ତି ନିଜର ଅଦୃଶ୍ୟ ଗୁପ୍ତ ପେଟି ।
ସ୍ୱାଧୀନତାର ପ୍ରକୃତ ମୂଲ୍ୟବୋଧ
କେବେଠାରୁ ହେଲାଣି ସେମାନଙ୍କଠି ଲୁପ୍ତ
କାରଣ, ସେ ସୌଦାଗର ଚାହେଁ ନାହିଁ
କେବେ ହେଉ ତା' ସୌଭାଗ୍ୟର ସୂର୍ୟ୍ଯାସ୍ତ ।
କେହି ନାହିଁ ଆଗ ପରି କହିବାକୁ,
ଚାଲ ଯିବା ସାବରମୋତିରୁ ପୁର ପଲ୍ଲୀ
ପୁଣି ଲଙ୍ଘିବାକୁ ଦାଣ୍ଡିରୁ ରାସ୍ତା, ସୁଦୂର ଦିଲ୍ଲୀ
ନାହିଁ ବିଦେଶରୁ ଆଜି ନାରା,
"ଚାଲୋ ଦିଲ୍ଲୀ, ଚାଲୋ ଦିଲ୍ଲୀ" ।
କେହି ନାହିଁ ଆଗ ପରି କହିବାକୁ,
ରକ୍ତ ଦେଇ ସ୍ବାଧୀନତା କିଣିବା
ଇଟାର ଜବାବ୍ ପଥରରେ ଦେବା
ସ୍ବାଧୀନତା ମୋ ଜନ୍ମ ସିଦ୍ଧା ଅଧିକାର
ଏ ଦେଶ- ଏ ମାଟି, ମାଆ ଯେ ମୋର ।
ସ୍ୱାଧୀନ୍ ଗୋଲାମୀ ଜୀବନ
ଅତିଶୟ ଭାରିଭାରି ଲାଗୁଛି,
ସ୍ୱପ୍ନର ସ୍ବାଧୀନତା କ'ଣ
ପ୍ରକୃତରେ ଭାରତକୁ ମିଳିଛି ?
ଶକୁନୀର ମସ୍ତକଟି ରାଜ୍ୟ ଶାସନ ଆଶେ
ଶ୍ୟାମ୍-ଦାମ୍-ଦଣ୍ଡ-ଭେଦର, ପଶା ଫାସେ
ପାଇବାକୁ ଶାସନ ଗଦି ପ୍ରତି ପାଞ୍ଚ ବର୍ଷେ
ଜନତାଙ୍କ ଜୀବନ, ବିକାଶ ସମୃଦ୍ଧିର
ଅଙ୍କ ରାଜନେତା କଶେ ।
ପୁଣି ଉଦୟ ହେବ ଆଉ ଏକ ସୂର୍ଯ୍ୟ
ପାଞ୍ଚ ବର୍ଷର ଏହି ଉଦୟ ଅସ୍ତ ଭିତରେ
ବଦଳିବ ତା' ରଙ୍ଗ-ଢଙ୍ଗ-ନୀତି-ନିୟମ
ବଦଳିବ ତା' ଆଚରଣ -ବିଚରଣ
କିନ୍ତୁ ବଦଳିବ ନାହିଁ
ଅସହ୍ୟ- ଦୁର୍ନୀତିର ଘନ କୃଷ୍ଣ ।
କଳ୍ପନାର ରାମରାଜ୍ୟ ପାଇଁ
ଆଗକୁ ଅଛି ଆଉ କେତେ ବାଟ
ପୁଣି ସହିବାକୁ ହେବ କେତେ ଛାଟ,
ଲୋଡ଼ା ପୁଣି କେତେ ବଳିଦାନ
ଆଉ କେତେ ଜନ-ଜୀବନ ।