ନିର୍ବାଣ ପଥେ
ନିର୍ବାଣ ପଥେ
ଧଳାହାତୀଟେ ସ୍ୱପ୍ନରେ ଆସିଲେ
କେବଳ ରାଜା ହେବା ହିଁ
ଭାଗ୍ୟରେ ନ ଥାଏ ,
ମୁକ୍ତି ପାଇଁ ଲୋଡ଼ାଯାଇପାରେ
ନିରଞ୍ଜନା ତଟ ।
ତୁମେ ରାଜପ୍ରାସାଦରେ ଖଞ୍ଜିଦେଲ
ଝକମକ ଆଲୁଅର ମାଳା ,
ଚାରିପଟେ ଦାସଦାସୀ ,
ବଗିଚାରେ ସବୁଜିଆ ପତ୍ର ,
ହସ ହସ ସଜଫୁଲ ,
ଡାଳେ ଡାଳେ ଶୁଆସାରୀ
କୋଇଲିର ମିଠା କୁହୁତାନ ।
ମୁଁ କିନ୍ତୁ ରାସ୍ତାରେ ଦେଖିଲି
ଜରାଗ୍ରସ୍ତ ବୃଦ୍ଧ , ବ୍ୟାଧିଗ୍ରସ୍ତ ଲୋକ ,ସନ୍ନ୍ୟାସୀ ,
ଆଉ ଶବାଧାରଟେ ।
ହାୟ କେତେ ଦୁଃଖ ,
ହାୟ କେତେ ଶୋକ ,
ହାୟ କେତେ ଯନ୍ତ୍ରଣାରେ
ଭରା ଏ ସଂସାର ।
ତୁମେ କି ଜାଣ
ସକଳ ପରିପୂର୍ଣ୍ଣତାରେ ବି
ଭରିଥାଏ ଶୂନ୍ୟତା ,
ଯାହା ତୁମେ ନୁହଁ
ମୁଁ ଦେଖିପାରେ ।
ହେ ଅନିତ୍ୟସୁନ୍ଦରୀ ଗୋପା ,
କ୍ଷମା କର କ୍ଷମା କର ।
ସ୍ନେହଭରା ବୋକଟିଏ ନିଅ
ରାହୁଳ ଶିଶୁପୁତ୍ର ମୋର ।
ହେ କପିଳବାସ୍ତୁ ,
କଢ଼େଇନିଅ ବାଟ
ମୁକ୍ତିଭରା ବିଦାୟଟେ ଦିଅ ।
ନିର୍ବାଣ
ନିର୍ବାଣ ହିଁ ଏକମାତ୍ର ଲକ୍ଷ୍ୟ ।
"କାମନାର ବିନାଶରେ ଦୁଃଖର ବିନାଶ "
ମହାମନ୍ତ୍ର ଗାଇ ଗାଇ
ଏ ବିନିଦ୍ର ରଜନୀରେ
ମୁଁ ଚାଲିଲି ନିର୍ବାଣର ପଥେ ।
କ୍ଷମା କର କ୍ଷମା କର ।