ଅଚିହ୍ନା ଈଶ୍ଵର-୨
ଅଚିହ୍ନା ଈଶ୍ଵର-୨
ଭଲରେ ହେଉ ଅବା ଭେଲରେ
ନିହାତି ଦରକାର ନାହିଁ
ତୁମକୁ ଭେଟିବା ପାଇଁ
ହିରଣ୍ୟକଶ୍ୟପ ଭଳି ପାପଟେ କରିବା ,
ଅର୍ଜୁନ ଭଳି ପୁଣ୍ୟବଳ ମୋ ପାଖରେ କାହିଁ ଯେ !
ତୁମେ ଦେବ ଦିବ୍ୟଚକ୍ଷୁ ,
ଆଉ ବିଶ୍ଵରୂପଦର୍ଶନର ଯୋଗ ।
ଲୋଡ଼ା ନାହିଁ ଲୋଡ଼ା ନାହିଁ ,
ତୁମକୁ ଦେଖିବା ପାଇଁ ବାସ୍ ଦୃଷ୍ଟିଭଙ୍ଗୀର
ଆଖି ହଳେ ଲୋଡ଼ା ।
ସକାଳୁ ଆ ଆ ଡାକି
ଚଢ଼େଇମାନଙ୍କ ପାଇଁ ଦାନା ବୁଣି ଦେଉଥିବା,
ଖଣ୍ଡିଆ ହୋଇଯାଇଥିବା ବୁଲାକୁକୁର ଗୋଡ଼ରେ
ହଳଦୀ ପଟି ବାନ୍ଧିଦେଉଥିବା
ବାପାଙ୍କ ଦେହରେ ମୁଁ ତୁମକୁ ଦେଖିପାରେ ଈଶ୍ୱର ।
ଖଣ୍ଡେ କାଠ ଚଉକିରେ ବସି
ସକାଳୁ ଦ୍ବିପହର ଯାଏଁ
ମାଗଣାରେ ରୋଗୀ ଦେଖି
ଔଷଧ ବାଣ୍ଟିପାରୁଥିବା
ଆଉ ଜଣେ ଈଶ୍ୱର ରହନ୍ତି ମୋ ଗାଁ ପାଖ ଗାଁ'ରେ ।
କାଲି ହିଁ ତ ତୁମକୁ ଭେଟିଥିଲି ଈଶ୍ୱର
ହା ଚୁ ଚୁ କରୁଥିବା ଦେଖଣାହାରୀଙ୍କ ଗହଳିରୁ
ତୁମେ ହିଁ ତ ଉଠାଇନେଲ
ଦୁର୍ଘଟଣାରେ ପଡ଼ିଥିବା ସେ ଲୋକଟିକୁ ହସ୍ପିଟାଲ୍ ଯାଏଁ ।
ତୁମେ ହିଁ ତ ବଢ଼େଇ ଦେଇପାର
ଭୋକିଲା ହାତକୁ ରୁଟି ଖଣ୍ଡେ,
ଅନ୍ଧଲୋକର ହାତଧରି ନିରାପଦରେ ଛାଡ଼ିଦେଇପାର
ରାସ୍ତା ଆରପଟେ ।
ଟିକିଏ ଆଉଁଶି ଦେଇପାର
ଅସହାୟମାନଙ୍କୁ ସ୍ନେହ ପରଶରେ ।
ତୁମେ ହିଁ ନା ଈଶ୍ୱର !
ଏମିତି
ମୁଁ ତ ତୁମକୁ ଭେଟୁଥାଏ ବାରମ୍ବାର ।
ଘରେ, ବାହାରେ, ଗାଁ'ରେ ,ସହରରେ,
ସବୁ ରାସ୍ତାରେ , ସବୁ ଗଳିରେ ।
କେତେ ରୂପରେ, କେତେ ବାଗରେ, କେତେ ଭଙ୍ଗୀରେ ।
ମୋର ପାପ ପୁଣ୍ୟର ଖେଳ ବା କ'ଣ ଦରକାର !
ତୁମକୁ ଦେଖିବା ପାଇଁ ବାସ୍ ଦୃଷ୍ଟିଭଙ୍ଗୀର ଆଖି ହଳେ ଲୋଡ଼ା ।