ବୃଦ୍ଧାଶ୍ରମ
ବୃଦ୍ଧାଶ୍ରମ
ତା ଆଖିରେ ସ୍ବପ୍ନଟିଏ ଥିଲା ବୋଲି
ପବନ ଓ ବରଷାର ଡରକୁ ଉପେକ୍ଷି
ସେ ବାନ୍ଧିଥିଲା ବସା, ଭିଡ଼ିଥିଲା ଡେଣା ।
ମାଇଲ୍ ମାଇଲ୍ ଉଡ଼ି ଆଣିଥିଲା ମିଠାଫଳ
ଆଧାର ଭୁଞ୍ଜିଥିଲା କଅଁଳ ଚଞ୍ଚୁରେ ।
କୁନି ପକ୍ଷୀର ଆଖିରେ ସେ ଭରିଲା ସ୍ୱପ୍ନ ,
ତା ଡେଣାରେ ଅସରନ୍ତି ଉଡ଼ାଣ ।
ଯା ଯା ଉଡ଼ି ଯାଯା ଯା ଉଡ଼ି ଯା
ଦୂର ଆଉ ବହୁ ଦୂର ଯାଏଁ
ଛୁଇଁ ଯା' ଆକାଶକୁ ।
କେବେ ଫଡ଼୍ ଫଡ଼୍ ଖଣ୍ଡି ଉଡ଼ା ଦେଉଥିବା କୁନିପକ୍ଷୀ
ଉଡ଼ିଗଲା ଖୁବ୍ ଦୂର ।
ତା ଚାରି ପାଖରେ ଏବେ ଭିନ୍ନ ଏକ ପୃଥିବୀ
ଉଡ଼ିବା ପାଇଁ ବିସ୍ତୃତ ଆକାଶ ।
ଏ ମାଟିର ଆ ଆ ଡାକ ଶୁଭେନି ସେ ଯାଏଁ ।
ସମୟ ତ ବହିଚାଲେ ପାଣିଧାର ଭଳି
କୁନିପକ୍ଷୀ ଫେରେନି ।
ନା ପହଞ୍ଚେ ମା ପକ୍ଷୀର ଆକୁଳ ଚିତ୍କାର
ବିନୀତ ପ୍ରାର୍ଥନା ବି ସବୁ ବ୍ୟର୍ଥ ଯାଏ ତାର ।
କେଉଁ ଘୋର ବିପତ୍ତିରେ ପଡ଼ିଲା କି ଧନମଣି
ଅପେକ୍ଷାରେ ଅପେକ୍ଷାରେ ଆଖିରୁ ତା ପାଣି ଶୁଖେ ।
ଧନମଣି ଆସିବ କି ଫେରି !
ସ୍ୱପ୍ନ ସବୁ ଭାଙ୍ଗିଯାଏ ପାଣିକାଚ ପରି ,
ଅପେକ୍ଷା
ପଣରେ ବଞ୍ଚିରହେ ଭଲପାଇବା ।
ନିଃସହାୟ ପକ୍ଷୀଜନ୍ମ କଟୁଥାଏ
କେଉଁ ଏକ ନୂଆ ଠିକଣାରେ ।