ଗାଁ’ ମୁଣ୍ଡ ବରଗଛ
ଗାଁ’ ମୁଣ୍ଡ ବରଗଛ
ଗାଁ’ ମୁଣ୍ଡ ବରଗଛ
ଠିକ୍ ଧ୍ୟାନରତ ଯୋଗୀଟିଏ
ସୁ ସୁ ପବନତା ଶୁଭେ
ଯୋଗୀଟିର ମନ୍ତ୍ର ଉଚ୍ଚାରଣ ପରି ।
ଥରେ ବୁଢୀ ମା'କୁ ପଚାରିଥିଲି
ଗାଁ ମୁଣ୍ଡ ବରଗଛ କଥା ,
ସେ କାଳେ ଏମିତି ହିଁ ଦେଖିଥିଲା
ବୋହୂ ହେଇଯେବେ ଆସିଥିଲା
ଆମ ଗାଁ'କୁ ।
ବାପା କହନ୍ତି
ବେଶି କିଛି ବଦଳିନି ତା’ର
ଖାଲି ଯାହା ମାଟିକୁ ଛୁଇଁଯାଇଛି
ଓହଳ କେତେଟା ଆଶ୍ରାପଣରେ ।
ଯେମିତି ଚାହିଁଥିଲା ଆକାଶକୁ
ଆଜିବି ସେମିତି ଚାହିଁଛି ।
ବଦଳିଯାଇଛନ୍ତି
ତା ମୂଳରେ ବାସ କରୁଥିବା ଦେବୀ
ସିନ୍ଦୁର ବୋଳା ପଥର ଖଣ୍ଡେରୁ
ପ୍ରସ୍ତର ଖୋଦିତ ସୁନ୍ଦର ମୂର୍ତ୍ତି ସାଜି ।
ଇଟା ,ଟିଣ ଘେରା ଘର ବଦଳରେ
ଏକ ଛୋଟ ମନ୍ଦିରଟେ ତାଙ୍କ ପାଇଁ ।
ଖୁବ ଭଲରେ ଅଛନ୍ତି ବରଗଛ ଛାଇରେ
ପକ୍ଷୀମାନଙ୍କ ଗୀତ ଶୁଣି ।
କାଳିଦାସ ମୋ ଗାଁ’ ଠାକୁର
ବୁଢୀ ମା' କହୁଥିଲା
ରାତି ହେଲେ କାଳେ
ଦାସେ ବସନ୍ତି ସେ ଗଛରେ
ଗାଁ’ ମୁହାଁ ହୋଇ ,ଗାଁ'କୁ ଜଗି ।
କେବେକେବେ ରାସ୍ତାରେ ଚାଲନ୍ତି
କଠଉ ଠକ ଠକ କରି
କେଜାଣି କାହିଁକି ଆଜି ଆଉ ଶୁଭେନି !
ଏବେ ଆଉ ତାସ୍ ଖେଳ ହୁଏନି,
ନିଶାପ ବସେନି ତା’ ମୂଳେ ।
ପିଲାମାନେ ଖେଳନ୍ତିନି
ନଟୁ,ବାଟି ଆଉ ମେରିଆ ।
ସେ କିନ୍ତୁ ସେମିତି ହିଁ ଅଛି
ବୁଢୀ ମା' ଦେଖୁଥିଲା
ମୁଁ ଆଜି ଠିକ ସେମିତି ହିଁ ଦେଖେ ।
ଗାଁ' ମୁଣ୍ଡ ବରଗଛ
ମୋ ଗାଁ ଇତିହାସକୁ
ଦସ୍ତାବିଜ୍ କରି ଜାବୁଡ଼ି ଧରିଛି ।
