ଲୁହ ମାନଚିତ୍ର
ଲୁହ ମାନଚିତ୍ର


ନିଗିଡ଼ିବ ନିଗିଡ଼ିବ ହେଉଛି
ଆଖିରୁ ଦୁଇବୁନ୍ଦା ଲୁହ ।
ଛାତିତଳେ ଛାପିରଖିଥିବା
ଅଦୃଶ୍ୟ ଯନ୍ତ୍ରଣାର ପ୍ରତିବେଦନ ,
ଭାଙ୍ଗିଯାଇଥିବା ନିରାଶା ମନର
କରୁଣ ପ୍ରତିଛବିଟିଏ ଦିଶୁଛି ଏ ଲୁହରେ ।
ଆଖିର ଅନ୍ତରୀକ୍ଷ ତଳେ
ଲଟକିଛି ଛଳ ଛଳ ପୃଥିବୀଟେ ।
ସେ ଲୁହର ପୃଥିବୀରେ
ଅସରନ୍ତି ଖିନ୍ ଭିନ୍ ସ୍ଵପ୍ନ ,
ଅପୂର୍ଣ୍ଣ ଅଭିଳାଷ ,
ଅପ୍ରାପ୍ତିର ମୃଗତୃଷ୍ଣା ।
ଏ ଲୁହ ବି ବେଳେବେଳେ
ସମୁଦ୍ର ପାଲଟେ ।
ଯେବେ ଅକୁଳାଣ ଦୁଃଖ ଆସେ
ପୂର୍ଣ୍ଣିମାର ରାତିଟିଏ ସାଜି ।
ସମୁଦ୍ରରେ ସମୁଦ୍ରେ ଜୁଆର
ଜୁଆରେ ଲହଡ଼ି ଖେଳେ
ମେଞ୍ଚେ ମେଞ୍ଚେ ଅବିଶ୍ଵାସ ,
ପୁଳେ ପ୍ରତାରଣା ,
ଘୃଣା ଓ ହିଂସାର କୁଢ କୁଢ ଦଲିଲ୍ ।
ଲୁହ ଆସେ ,
ଛାତିର ପିଞ୍ଜରା ତଳେ
ଫଡ଼ ଫଡ଼ ଡେଣା ଝାଡ଼େ ଦୁଃଖପକ୍ଷୀ ।
ଉଡ଼ିବାର ଯୁ ନାହିଁ ।
ଚୁପ୍ ଚାପ୍ ଶୋଇରହେ
ନୀରବତାର ଗୀତ ଗାଇ ।
ଲୁହବୁନ୍ଦା ଦୋଳି ଖେଳେ
ଭସାବାଦଲ୍ ଟେ ପରି ଆଖି ଆକାଶରେ ,
ଜଣାନାହିଁ ଅଚାନକ ବର୍ଷିପାରେ
ଦ୍ରବୀଭୂତ ହୋଇ କେଉଁ ମୁହୂର୍ତ୍ତରେ ।
ତଥାପି ମୋ ଆଖି
ବାରମ୍ବାର ତିଆରୁଥାଏ
ଲୁହ ମାନଚିତ୍ରଟେ ପ୍ରତି କ୍ଷଣେ ।