ଆଖି
ଆଖି
ବଡ଼ ଅମାନିଆ ଏ ଆଖି
ନିଜ ପରିବ୍ୟାପ୍ତିରେ ବାନ୍ଧିନିଏ
ମାଟିରୁ ଆକାଶ,
ସମୁଦ୍ରକୂଳରୁ ଦିଗବଳୟ ।
ଖୁବ୍ ସନ୍ତର୍ପଣରେ ସାଇତି ରଖେ
ହସ , କାନ୍ଦ, ସୁଖ , ଦୁଃଖ ,
ଭୋକ ଆଉ ଭୂଗୋଳର ଚିତ୍ର ସବୁ ।
ଏ ଆଖି
ସ୍ବପ୍ନଟିଏ ଦେଖୁ ଦେଖୁ ,
ହଳେ ଡେଣା ଭିଡ଼ିଦିଏ ମନ ଦେହରେ
ମନ ପକ୍ଷୀ ଉଡ଼ିଯାଏ ଆକାଶରେ
ଦୂର ଦୂର ଆଉ ବହୁତ ଦୂର ଯାଏଁ
ଆଖି ଖୋଲିଦେଲେ ହିଁ ସବୁତକ ସ୍ବପ୍ନ
ପାଲଟିଯାଆନ୍ତି ବିସ୍ମୃତି ।
ଏ ଆଖି ଭୟ ଦେଖେ
କାହାର ନାଲିଆଖିର ହୁକୁମରେ ।
ଦୁଃଖକୁ ମାପେ
ଅଥଳ ଲୁହରେ ଛଳ ଛଳ
ଦୁଇ ଆଖି ଭିତରେ ।
ପ୍ରେମ ଦେଖେ
କେଉଁ ଅନୁଢ଼ା କିଶୋରୀର ଆଖି ସମୁଦ୍ରରେ
ଆଉ ଜାଣିଶୁଣି ପାଦ ରଖେ
ସେ ଖସଡ଼ା ଧାରରେ ।
ଅନ୍ଧ ଲୋକଟିର ଆଖି
ନିଜ ସହ ନିର୍ବାସନ ଭୋଗୁଥାଏ ଚିରକାଳ ।
ଦୁଃଖ ଗୀତ ଗାଇ ଗାଇ
ଖୋଜୁଥାଏ ଜୀବନର ପଥ ।
କ'ଣ ବା ଯାଏ ତାର
ଆଖି ଖୋଲିଲେ କି ବୁଜିଲେ
ତା ପାଇଁ ସମାନ ଏ ଦୁନିଆର ଚିତ୍ର ।
କେବେ କେବେ ମୁଁ ନିଜକୁ ପଚାରେ
ଜନ୍ମାନ୍ଧଟିଏ ସ୍ବପ୍ନ ଦେଖେ କି ନାହିଁ !