କୋଣାର୍କ
କୋଣାର୍କ
ଆଉ କିଛି ବର୍ଷ ପରେ
ତୁମେ ହୁଏତ ନ ଥିବ ,
ଚିରକାଳର ମୌନତା ଛାଡ଼ି
ଏ ଜାତି ହାତରେ ସମର୍ପି ଦେଇଥିବ
ଗୌରବମୟ ସ୍ଵାକ୍ଷରଟେ ।
କାହିଁ କେତେ କାଳ ଧରି
ତୁମର ଅସ୍ତିତ୍ୱକୁ ଆବୋରି
ବିଭୋର ହେଉଥିବା ନର୍ତ୍ତକୀମାନେ ଛାଡ଼ିସାରିଥିବେ
ସେମାନଙ୍କର ସୌଷ୍ଠବ ଅଙ୍ଗସଜ୍ଜା,
ଅର୍ଦ୍ଧନିମୀଳିତ ଚକ୍ଷୁ
ଓ ଅପୂର୍ବ ଭାବଭଙ୍ଗୀ ।
ତୁମ ପୃଷ୍ଠଦେଶରେ
ନିଃଶବ୍ଦ ଅଭିନୟ କରୁଥିବା
କମକୁଟ ଶିଳାଲେଖ,
ଦେବାଦେବୀ ,ଅଶ୍ୱ, ସିଂହ ଏବଂ
ନଅ ହଜାର ନଅ ଶହ ଅନେଶତ ହସ୍ତୀ
ବିଦାୟ ନେଇଯିବେ ଭାବ ରଙ୍ଗମଞ୍ଚରୁ ।
ଆଜି ଯାଏଁ ତୁମ ଗୌରବକୁ ବହନ କରୁଥିବା
ଚବିଶ ଚକ ବି ହୋଇପାରନ୍ତି ଅସମର୍ଥ
ଶତ ନିରାମୟତାର ପ୍ରଚେଷ୍ଟା ସତ୍ତ୍ୱେ ।
ହଁ,
ଦିନେ ତୁମେ ପାଲଟିଯିବ
କେଇ ଖଣ୍ଡ ଭଗ୍ନ ବିକ୍ଷିପ୍ତ ହାଡ଼ ।
ଅସ୍ତି ଯୋଡ଼ି, ରକ୍ତ ମାଂସ ଭରି
ଅଭାଗା ଏ ଜାତି ସିଞ୍ଚୁଥିବ ମୃତ୍ୟୁସଂଜୀବନୀ ଜଳ ।
ହାୟ, କେବଳ ଭୁଲିସାରିଥିବ ଜୀବନ୍ୟାସର ମନ୍ତ୍ର ଉଚ୍ଚାରଣ ।