କାନ୍ଥ
କାନ୍ଥ
ମାଟିକାନ୍ଥର ଅବୟବ ଦେହରେ
ଦି ପୁଳା ମାଟି, ଦୁବ, ଅରୁଆ ଚାଉଳ ଓ କଉଡ଼ି ଦେଇ
ବୁଢ଼ୀ ମା' ଗଢ଼ିଥିଲା ଷଠିଘର ।
ଜଳପାତ୍ରୀରେ ପଣ୍ଡିତେ ବୁହାଇଦେଲେ
ସାତ ଧାର ଘୃତ ଅର୍ଘ୍ୟ
ଟୋପା ଟୋପା ସିନ୍ଦୂରର ଦାଗରେ ।
ଯାନିଯାତ୍ରା ପର୍ବାଣୀରେ
ଗୋବରଲିପା ସେ କାନ୍ଥରେ ଅଙ୍କା ହୁଏ
ମାଣବସା ଝୋଟି, ବାହାବ୍ରତ ଲେଖା,
ଦଶରା ଛ'ଆଖିଆ, ଶୁଦ୍ଧି ଘର ଛୁତିକିଆରେ
ବାରିକର ବାଡ଼ିଆ ଚିତା ।
ଅସଜଡ଼ା ହାତରେ ସେ କାନ୍ଥରେ ନାତିଟୋକା ଆଙ୍କିଥିଲା କାଳିଆର ଅଙ୍କାବଙ୍କା ମୁହଁଟା ।
ପାନଖିଆ ନାଲି ଦାନ୍ତ ଦେଖେଇ
ହସିହସି ଗଡ଼ିଗଲା ବୁଢ଼ୀ ମା' ।
-ଏ କିଏ ରେ ହତଭାଗା !
ତୋ ଶଶୁର !
ରାଗ ଜରଜର ହେଇ ନାତିଟୋକା ଲିଭେଇପାରିଲାନି
ଅଙ୍ଗାର ଖଣ୍ଡେରେ ଆଙ୍କିଥିବା ସେ ଚିତ୍ରକୁ ।
ମାଆ ଗଲା ପରେ
ପୁଅମାନେ ବାଣ୍ଟି ନେଲେ ଘରକୁ ଭାଗ କରି ।
କିନ୍ତୁ ବାଣ୍ଟି ପାରିଲେନି କାନ୍ଥକୁ ।
ନିଜ ନିଜ ଘରେ ବସି ଅପବାଦଟିଏ ରଚିଲେ
"ଧୀରେ କୁହ, କାନ୍ଥର ବି କାନ ଅଛି ।"
ଏବେ ରୂପରେଖ ବଦଳିଗଲାଣି କାନ୍ଥର
ପୁଟି ମରା ଚିକ୍କଣ କାନ୍ଥରେ ଝୁଲୁଛି
ମୋନାଲିସାର ହସ ,
ବେଳାଭୂମି ସୂର୍ଯ୍ୟୋଦୟ,
ଆଦିବାସୀ କନ୍ଧ ଯୁବତୀର ନୋଥ ଲଗା ମୁହଁ ,
ଓ ଆଦୌ ବୁଝା ପଡ଼ୁ ନ ଥିବା କେତୋଟି ଦାମୀ ତୈଳଚିତ୍ର ।
ସେ ବେଳ ଆଉ ନାହିଁ,
ଷଠିଘର ହୁଳହୁଳି, ମାଣବସା ଝୋଟି,
ଦଶରା ଛ'ଆଖିଆ ।
ଆଉ ନାହିଁ
ଶୈଶବର କଅଁଳ ହାତରେ
ନାତିଟୋକା ଆଙ୍କିଥିବା
କାଳିଆର ଅଙ୍କାବଙ୍କା ମୁହଁ
ଏବେ କାନ୍ଥ ସବୁ ପାଲଟିଗଲେ ଗୋଟେ ଗୋଟେ ଅତୀତ ।
ଯେଉଁ ଅତୀତକୁ ଧରି ରଖି
ବୁଢ଼ୀ ମା' ହସୁଥାଏ
ପାନଖିଆ ନାଲି ଦାନ୍ତ ଦେଖେଇ ।