ଅଚିହ୍ନା ଈଶ୍ୱର
ଅଚିହ୍ନା ଈଶ୍ୱର
ନିଜର ସୌମ୍ୟକାନ୍ତି ମୁଖ,
ମଥାର ମୁକୁଟ,
କାନ୍ଧର ଉତ୍ତରୀୟ,
ସର୍ବାଙ୍ଗେ ଆଭୂଷିତ ଅଳଙ୍କାରର
ସାଜ୍ଜସଜ୍ଜା ଛାଡ଼ି
ଈଶ୍ୱର ଏବେ ପିନ୍ଧିଛନ୍ତି
ଖାକି ଓ ଧଳାରଙ୍ଗର ପୋଷାକ ।
ନିଜ ଚାରିକାନ୍ଥର ଉପାସନା ଗୃହ ଛାଡ଼ି
ଈଶ୍ୱର ଧରିଛନ୍ତି ଭିନ୍ନ ଭିନ୍ନ ଘଟ
ଖୋଜୁଛନ୍ତି ପଥି ଔଷଧି
ଆଦିରୁ ଅନନ୍ତ ।
ଈଶ୍ୱରଙ୍କ ହାତରେ ଶସ୍ତ୍ର ବଦଳରେ ବାଡ଼ି
ଈଶ୍ୱରଙ୍କ ବେକରେ ମାଳା ନୁହେଁ ଷ୍ଟେଥୋସ୍କୋପ୍ ।
ନିଜ ଦିବ୍ୟହସ୍ତରୁ ଆଶୀର୍ବାଦ ଢାଳି ଦେଉଥିବା ଈଶ୍ୱର ଏବେ ଖୁବ୍ ଅସହାୟ,
ଖୋଦ୍ ହାତ ଯୋଡୁଛନ୍ତି ଭକ୍ତମାନଙ୍କୁ ।
ଏ ଈଶ୍ୱରଙ୍କୁ ଆବାହନ ନାହିଁ ,
ନିଜ ଘର ମନା ତାଙ୍କ ପାଇଁ ।
ନାଁ ଅଛି ସନ୍ନିଧ୍ୟାନ, ସଂସ୍ଥାପନ ,
ଦିନରାତି ଉଜାଗର,
ଅଛୁଆଁ ,ଅସ୍ପୃଶ୍ୟ ନିଜ ପରିବାର ଲୋକେ ।
ଆଚମନ ନାଁ ରେ ଅଳ୍ପ କିଛି ଭୁଞ୍ଜି ଦେଇ
ଈଶ୍ୱର ଲଢ଼ୁଛନ୍ତି ଅଦୃଶ୍ୟ ଶକ୍ତି ବିରୁଦ୍ଧରେ ।
ଏ ଈଶ୍ୱରଙ୍କ ଧର୍ମ ମଣିଷପଣିଆ,
କର୍ମ ବୋଇଲେ ସେବା ଆଉ ତ୍ୟାଗ ,
ବାସ ନୁହେଁ
ମନ୍ଦିର,ମସଜିଦ, ଗୀର୍ଜାଗୃହରେ ।
କେବେ ସମୁଦ୍ର ମନ୍ଥନରେ ଅମୃତ ଭିଆଉଥିବା ଈଶ୍ଵର
ଏବେ ଲଢ଼ୁଛନ୍ତି ମରଣ ସାଙ୍ଗରେ
ମୋ ଦେଶର ସୀମାରେ,
ରାଜରାସ୍ତାରେ ,ଡାକ୍ତରଖାନାରେ।