ମୁଁ ଖାଲି ହଜିବାକୁ ଚାହେଁ
ମୁଁ ଖାଲି ହଜିବାକୁ ଚାହେଁ
ତୁମକୁ ପାଇବାକୁ ପ୍ରଭୁ
ବିଦ୍ୟାପତି ପରି
ଛଳକରି ବୁଣିପାରିବିନି
ସୋରିଷର ଦାନା ।
ନା ବିଶର ମହାନ୍ତି ପରି
ଛୁଟିଯାଇପାରିବି
କଳାପାହାଡ଼ର ପଛେ ପଛେ
ସାଉଁଟିପାରିବି ନାଭିବ୍ରହ୍ମ
ମୃଦଙ୍ଗରେ ରଖି ।
ତୁମେ ଠିକ୍ ଜାଣ ପ୍ରଭୁ
ମୁଁ କେବେ ସାଜିପାରିବିନି
ବଳରାମ ଦାସେ , ଦାସିଆ ବାଉରୀ ,
ବନ୍ଧୁ ମହାନ୍ତିଙ୍କ ପରି ।
ଯେ ରୋକିଦେଇପାରିବି ବାଲିରଥ ,
ଶୂନ୍ୟରେ ବଢେଇଦେଇପାରିବି ନଡ଼ିଆ ।
ଲକ୍ଷେ ଜନସମୁଦ୍ରରେ
ଧାଡ଼ିଦେଇ , ବେହିପୁଅ ଡାକଶୁଣି
ବେତ ମାଡ଼ ଖାଇବା ବି
ମୋ ଦ୍ଵାରା ହୁଏନି ।
ମୋର ବା କି ଯାଏ
ତୁମ ବତିଶ ବେଶରେ ,
ତୁମ ଷାଠିଏ ପଉଟିରେ ,
ତୁମ ଦେବଦାସୀ ନୃତ୍ୟରେ ,
ତୁମ ସାଆନ୍ତେ ପଣରେ ।
ତୁମକୁ ଇଚ୍ଛିବା ଯେବେ ମୋର ପ୍ରାପ୍ତି ,
ତୁମକୁ ଜାଣିବା ଯେବେ ମୋର ଜ୍ଞାନ ,
ତୁମକୁ ଭାବିବା ଯେବେ ମୋର ନିର୍ବାଣ
ମୋର ବା ଆଉ କି ଲୋଡ଼ା !
ହଁ ,
ମୁଁ ଚାହେଁ ଦୁଇଟୋପା ଲୁହବିନ୍ଦୁ
ଚକାଆଖିରେ ମୋ ଆଖି ମିଶେଇ ,
ତୁମ ନାଲିଆ ହସ ଟିକେ ଚାହେଁ
ମଜ୍ବୁତ୍ କରିବାକୁ ମୋ ବିଶ୍ବାସପଣ ,
ମୁଁ ଖାଲି ହଜିବାକୁ ଚାହେଁ
ତୁମ ନିରାକାର ବ୍ୟାପ୍ତିରେ ,
ତୁମ ବିଭୋରତାରେ ,
ଅବା ରୁଦ୍ଧ ଆବେଗରେ ।